ପୁରୀ() ରଥାଯାତ୍ରାର ସଫଳ ପରିଚାଳନାକୁ ନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେବ ଡକ୍ୟୁମେଣ୍ଟ୍ରୀ । ସେହିପରି ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ ଆଉ ଥରେ ହେବ କୋଭିଡ ଟେଷ୍ଟ । ୧୧ରୁ ୧୪ ତାରିଖ ଯାଏଁ ସେବାୟତଙ୍କ କୋଭିଡ ଟେଷ୍ଟ କରିବାକୁ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଛି । ଶ୍ରଦ୍ଧାଳୁ ଆସୁନଥିବାରୁ ସେବାୟତଙ୍କ ଆର୍ଥିକ ଅସୁବିଧାକୁ ଦୃଷ୍ଟିରେ ରଖି ଏକ କମିଟି ଗଠନ ହୋଇଛି । ୭ ଦିନ ଭିତରେ ଏନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଛତିଶା ନିଯୋଗ ଓ ପରିଚାଳନା କମିଟିର ଯୁଗ୍ମ ବୈଠକ ଆଲୋଚନା କରାଯାଇଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ନିଯୋଗ ଓ ପ୍ରଶାସନକୁ ବୈଠକରେ ଧନ୍ୟବାଦ ଜଣାଯାଇଛି ।
ତେବେ ଏଥରର ରଥଯାତ୍ରା ଭିନ୍ନ ଥିଲା । ବିନା ଭକ୍ତରେ ସେବାୟତ ଓ ପୋଲିସ ମିଶି ରଥ ଭିଡିଲେ । ସୁନାବେଶରେ ବି ବଡଦାଣ୍ଡ ଖାଁ ଖାଁ ଥିଲା । ତେବେ ସବୁ ସତ୍ତ୍ୱେ ମଧ୍ୟ ରଥଯାତ୍ରା ଆୟୋଜନ ବେଳେ ସବୁଠାରୁ ବଡ ଆଶଙ୍କା ଥିଲା ଯେ ଲୋକେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଶୃଙ୍ଖଳିତ ହୋଇ ପାରନ୍ତି । ମାତ୍ର ସବୁ ଆଶଙ୍କାକୁ ଭୁଲ ପ୍ରମାଣିତ କରି ପୁରୀ ପ୍ରଶାସନ ଓ ମୁଖ୍ୟତଃ ପୁରୀ ଲୋକେ ସଫଳତା ପୂର୍ବକ ରଥଯାତ୍ରା ସାରିଲେ ।