Odia News Portal

୯ରୁ ୭ ଆସନରେ ନୂଆ ମୁହଁ

ତୃତୀୟ ଏବଂ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ୯ଟି ଲୋକସଭା ଆସନ ଏବଂ ୩୬ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୯ଟି ଲୋକସଭା ଆସନରୁ ୭ଟି ଆସନରେ ପ୍ରାର୍ଥୀ ବଦଳାଇଛି ବିଜେଡି । କେବଳ ପୁରୀ ଓ ବାଲେଶ୍ୱରରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇନାହିଁ ।

ପୁରୀ ଲୋକସଭା ଆସନରେ ୨୦୧୪ ନିର୍ବାଚନରେ ପିନାକୀ ମିଶ୍ର ପ୍ରାର୍ଥୀ ହୋଇଥିବା ବେଳେ ଏଥର ମଧ୍ୟ ଦଳ ତାଙ୍କୁ ପୁରୀରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ସେହିପରି ବାଲେଶ୍ୱର ଲୋକସଭା ଆସନରୁ ରବିନ୍ଦ୍ର ଜେନାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ଦଳ । ଆଉ ଏହାରି ଭିତରେ ଆଜି ଘୋଷଣା ହୋଇଥିବା ଅନ୍ୟ ୭ଟି ଲୋକସଭା ଆସନରେ ପ୍ରାର୍ଥୀ ବଦଳାଯାଇଛି । ଭୁବନେଶ୍ୱର ଲୋକସଭା ଆସନରୁ ୧୯୯୮ ମସିହାରୁ ପ୍ରାର୍ଥୀ ହୋଇ ଆସିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଏଥର ଟିକେଟ୍ କଟିଛି । ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନ ଘୋଷଣା କରିଥିବା ବେଳେ ଭୁବନେଶ୍ୱରରୁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ।