ଅହମ୍ମଦାବାଦ : ପୁଣି ଥରେ ସ୍ପିନ୍ ଟ୍ରାକରେ ଫସିଲା ଇଂଲଣ୍ଡ । ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଚକ୍ରବ୍ୟୁହକୁ ଭେଦ କରିନପାରି ଇଂଲଣ୍ଡ ମାତ୍ର 205 ରନରେ ଅଲ୍ଉଆଉଟ୍ ହୋଇଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ଭାରତ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଛି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 1 ଓ୍ୱିକେଟ ହରାଇ 24 ରନ୍ କରିଛି ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାକୁ ଭାରତକୁ ଆହୁରି 182 ରନ୍ କରିବାକୁ ପଡ଼ିବ । ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା 15 ଓ ଚେତେଶ୍ୱର ପୂଜାରା 8 ରନ୍ କରି ଅପରାଜିତ ରହିଛନ୍ତି । ଶୁବମନ୍ ଗିଲ୍ ପୁଣିଥରେ ନିରାଶ କରି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି । ଇଂଲଣ୍ଡର ଅଭିଜ୍ଞ ପେସର୍ ଜେମ୍ସ ଆଣ୍ଡରସନ୍ ଏହି ଓ୍ୱିକେଟ୍ ନେଇଛନ୍ତି ।
ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ (55)ଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନାହାନ୍ତି । ଭାରତ ପକ୍ଷରୁ ଅକ୍ଷର ପଟେଲ୍ 4ଟି ଓ ଅଶ୍ୱିନ୍ 3ଟି ଓ୍ୱିକେଟ୍ ନେଇଛନ୍ତି । ଉକ୍ତ ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତ କ୍ୟାପଟେନ୍ ବିରାଟ୍ କୋହଲି କିଛି ଓଭର ପରେ ସ୍ପିନରଙ୍କୁ ଲଗାଇଥିଲେ । ଅକ୍ଷର ପଟେଲ୍ ବୋଲିଂ କରିବାକୁ ଆସିବା ମାତ୍ରକେ ନିଜର ପ୍ରଥମ ଓଭରରେ ଇଂଲିଶ ଟିମର ଓପ୍ନର ଡମ୍ ସିବଲେ (2)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଅକ୍ଷର ନିଜର ପରବ ୀର୍ ଓଭରରେ ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍ ଜାକ୍ କ୍ରଲୀ (9)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ 15 ରନରେ 2 ଓ୍ୱିକେଟ୍ ହରାଇବା ପରେ ଜୋ ରୁଟଙ୍କ ଉପରେ ଟିମର ବ୍ୟାଟିଂ ନିର୍ଭର କରୁଥିଲେ କିନ୍ତୁ ରୁଟ୍ ମଧ୍ୟ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରିନଥିଲେ । ଯଶପ୍ରୀତ ବୁମରାଙ୍କରେ ସୁଯୋଗ ପାଇଥିବା ମହମ୍ମଦ ସିରାଜ ବିରୋଧୀ ଦଳର କ୍ୟାପଟେନ୍ (5)ଙ୍କୁ ଏଲବିଡବ୍ଲ୍ଯୁ କରିଥିଲେ ।
ତୃତୀୟ ଟେଷ୍ଟର ଉଭୟ ଇନିଂସରେ ଖାତା ଖୋଲିପାରିନଥିବା ଜନ୍ନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସ ଧୈର୍ଯ୍ୟର ସହ ବ୍ୟାଟିଂ କରି ମଧ୍ୟାହ୍ନ ଭୋଜନ ସୁଦ୍ଧା ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ । କିନ୍ତୁ ଦ୍ୱିତୀୟ ସେସନ୍ ଆରମ୍ଭରୁ ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ ମହମ୍ମଦ ସିରାଜ୍ । ସିରାଜ ସେଟ୍ ବ୍ୟାଟ୍ସମ୍ୟାନ୍ ବେୟାରଷ୍ଟୋ (28)ଙ୍କୁ ଏଲବିଡବ୍ଲ୍ଯୁ ଆଉଟ୍ କରିଥିଲେ। ଷ୍ଟୋକ୍ସ ଓ ଓଲି ପୋପ୍ 5ମ ଓ୍ୱିକେଟ୍ ପାଇଁ 43 ରନ୍ ଯୋଡ଼ି ଦଳର ସ୍କୋରକୁ 100 ଅତିକ୍ରମ କରାଇଥିଲେ । ଷ୍ଟୋକ୍ସ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ ହେଁ, ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଷ୍ଟୋକ୍ସ 121 ବଲରେ 6 ଚୌକା ଓ 2 ଛକା ସହ 55 ରନ୍ କରି ଓ୍ୱାଶିଂଟନ୍ ସୁନ୍ଦରଙ୍କ ଶିକାର ହୋଇଥିଲେ ।
ପୋପ୍ ଙ୍କ ମିଶି ଡାନ୍ ଲରେନ୍ସ 45 ରନର ପାର୍ଟନରଶିପ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ଏହି ଯୋଡ଼ିକୁ ଅଶ୍ୱିନ ଭାଙ୍ଗିବାରେ ସଫଳ ହୋଇଥିଲେ ପୋପ୍ ମାତ୍ର 29 ରନ୍ କରି ଅଶ୍ୱିନଙ୍କ ବଲରେ ଶୁବମନ୍ ଗିଲଙ୍କ ଦ୍ୱାରା କ୍ୟାଚ୍ଆଉଟ୍ ହୋଇଥିଲେ । ଏହା ପରେ ଇଂଲଣ୍ଡ ତା’ର ଶେଷ 4 ଓ୍ୱିକେଟ୍ 39 ରନରେ ହରାଇ ଅଲଆଉଟ୍ ହୋଇଯାଇଥିଲା । ଓ୍ୱିକେଟକିପର ବ୍ୟାଟ୍ସମ୍ୟାନ୍ ବେନ୍ ଫୋକ୍ସ ମାତ୍ର 1 ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।
ଲରେନ୍ସ 46 (74 ବଲ୍ , 8 ଚୌକା) ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଡମ୍ ବେସ୍ 3 ଓ ଜ୍ୟାକ୍ ଲିଚ୍ 7 ରନ୍ କରି ଆଉଟ୍ ହୋଇଥିବା ବେଳେ ଜେମ୍ସ ଅାଣ୍ଡରସନ୍ 10 ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ୍ 68 ରନ୍ ଦେଇ 4ଟି ଓ ଅଶ୍ୱିନ୍ 47 ରନ୍ ଦେଇ 3ଟି ଓ୍ୱିକେଟ୍ ନେଇଥିଲେ । ସିରାଜ୍ 2ଟି ଓ ସୁନ୍ଦର ଗୋଟିଏ ସଫଳତା ପାଇଛନ୍ତି ।