Odia News Portal

ଗୋଟିଏ ସପ୍ତାହରେ ସୁନା କେତେ କମିଲା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଆଜି ସୁନା ଦର ପୁଣି ହ୍ରାସ ପାଇଛି। ପ୍ରତି ୧୦ ଗ୍ରାମ ସୁନାଦର ଗୋଟିଏ ସପ୍ତାହ ମଧ୍ୟରେ ୧,୫୦୦ ଟଙ୍କା ହ୍ରାସ ପାଇଛି । ଟଙ୍କାର ମୂଲ୍ୟ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ସୁଧିରିଛି । ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାପରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଥିଲା । ଗତ ସପ୍ତାହରେ ପ୍ରତି ୧୦ ଗ୍ରାମ ସୁନା ୪୧,୩୦୦ ଟଙ୍କା ପାର କରିଥିଲା । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସରେ ସୁନା ଦରର ଫେବ୍ରୁଆରୀ ଫିଚ୍ୟୁର ପ୍ରାଇସ୍‌ ୦.୨୩ ପ୍ରତିଶତ ହ୍ରାସ ପାଇ ୩୯,୭୮୦ ଟଙ୍କାରେ ପହଞ୍ଚିଛି ।

ସେହିପରି ରୂପାଦର ହ୍ରାସ ପାଇଛି । ପ୍ରତି କିଲୋ ରୂପାଦର ହ୍ରାସ ପାଇ ୪୬,୭୫୫ ଟଙ୍କାରେ ପହଞ୍ଚିଛି । ଏହା ପ୍ରତି କିଲୋ ୦.୩୩ ପ୍ରତିଶତ ହ୍ରାସ ପାଇଛି । ଇରାନ୍‌ ଓ ଆମେରିକା ମଧ୍ୟରେ ଉପୁଜଥିବା ପରିସ୍ଥିତିରେ ସୁଧାର ଆସୁଥିବାରୁ ଏବେ ଅନ୍ତର୍ଜାତୀୟ ବଜାରରେ ସ୍ଥିରାବସ୍ଥା ରହିଛି ।

ଅନ୍ତର୍ଜାତୀୟ ବଜାରରେ ସୁନାଦର ୦.୪ ପ୍ରତିଶତ ହ୍ରାସ ପାଇଛି । ସୁନାଦର ଏବେ ପ୍ରତି ଆଉନସ୍‌ ୧,୫୫୫.୭୬ ଡଲାର ରହିଛି। ସେହିପରି ରୂପାଦର ହ୍ରାସ ପାଇ ପ୍ରତି ଆଉନସ୍‌ ୧୮.୦୫ ଡଲାର ରହିଛି । ଏହା ୦.୨ ପ୍ରତିଶତ ହ୍ରାସ ପାଇଛି ।