Odia News Portal

ଆଜି ନ୍ୟୁଜିଲାଣ୍ଡ – ଭାରତ ମଧ୍ୟରେ ଟକ୍କର

ବିଶ୍ୱକପରେ ଆଜି ମହା ମୁକାବିଲା। ପଏଣ୍ଟ ତାଲିକାରେ ଏକ ନମ୍ବର ଦଳ ବନାମ ତିନି ନମ୍ବର ମଧ୍ୟରେ ଫାଇଟ୍‌। ନ୍ୟୁଜିଲାଣ୍ଡ-ଭାରତ ଟକ୍କର।  ଏହି ମ୍ୟାଚ୍ ଆଜି ଅପରାହ୍ନ ୩ଟା ବେଳେ ଆରମ୍ଭ ହେବ । ଏହା ବିଶ୍ବ କପର ୧୮ତମ ମ୍ୟାଚ୍ ହେବ ।

ଏବେ ବିଶ୍ୱକପ୍‌ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ନ୍ୟୁଜିଲାଣ୍ଡ। ତିନିଟି ମ୍ୟାଚ୍‌ ଖେଳି ତିନିଟି ଯାକ ଜିତିଛି। ଏପଟେ ଭାରତ ବି ଦୁଇଟି ମ୍ୟାଚ୍‌ରେ ବାଜିମାତ କରିଛି। ପଏଣ୍ଟ ତାଲିକାର ତିନି ନମ୍ବର ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ। କିନ୍ତୁ ଓ୍ଵାର୍ମ ଅପ୍‌ ମ୍ୟାଚରେ ଭାରତକୁ ହରାଇଥିଲା ନ୍ୟୁଜିଲାଣ୍ଡ। ଗତ ବିଶ୍ୱକପ୍‌ର ରନର୍‌ ଅପ୍‌ ନ୍ୟୁଜିଲାଣ୍ଡ ଜବରଦସ୍ତ ପ୍ରଦର୍ଶନ କରୁଛି। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌, ମାର୍ଟିନ୍‌ ଗପଟିଲ୍‌, ରସ୍‌ ଟେଲର୍‌ଙ୍କ ଭଳି ଅନୁଭବନୀ ଖେଳାଳି ଅଛନ୍ତି। ଟ୍ରେଣ୍ଟ ବୋଲ୍ଡ, ମାଟ୍‌ ହେନରୀ, ଫର୍ଗୁସନ୍‌, ଜେମସ୍‌ ନିସାମଙ୍କ ବୋଲିଂ ଭାର ତୁଲାଉଛନ୍ତି।

ଏପଟେ ଶକ୍ତିଶାଳୀ ଟିମ୍‌ ଇଣ୍ଡିଆକୁ ଶିଖର ଝଟ୍‌କା ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହତ ଯୋଗ ପ୍ଲେଇଂ ସ୍କ୍ଵାଡ୍‌ରୁ ବାଦ ପଡ଼ିଛନ୍ତି ବିସ୍ଫୋରକ ଓପନର ଶିଖର ଧଓ୍ଵନ। କୁହାଯାଉଛି ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍‌ କରିପାରନ୍ତି ଲୋକେଶ ରାହୁଲ। ପୂର୍ବ ମ୍ୟାଚରେ ଚାରି ନମ୍ବରରେ ଖେଳୁଥିଲେ। ଲୋକେଶ ରାହୁଲ ଇନିଂସ ଓପନ କଲେ ଚାରି ନମ୍ବରରେ ଦୀନେଶ କାର୍ତ୍ତିକ କିମ୍ବା ବିଜୟ ଶଙ୍କରଙ୍କୁ ଖେଳାଇ ପାରନ୍ତି ବିରାଟ କୋହଲି।