ଲଣ୍ଡନ : ୱାଲର୍ଡ କପ୍ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ । ଗତକାଲି ଶ୍ରୀଲଙ୍କାକୁ ହରାଇବା ସହିତ ପଏଣ୍ଟ ତାଲିକାରେ ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇଛି । ସେହିପରି ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡ ପ୍ରବେଶ କରିଛନ୍ତି । ଗତକାଲି ଖେଳା ଯାଇଥିବା ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି । ୨୬୫ ରନ୍ ଟାର୍ଗେଟର ପିଛା କରି ଭାରତ ୪୩.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲା ।
ମୋଟ୍ ୯ଟି ମ୍ୟାଚରୁ ୭ଟିରେ ବିଜୟ, ଗୋଟିଏରେ ପରାଜୟ ଓ ଗୋଟିଏ ବାତିଲ୍ ସହ ୧୫ ପଏଣ୍ଟ ପାଇଛି ଭାରତ । ପଏଣ୍ଟ ଟେବୁଲରେ ଟପ୍ ରେ ଅଛି ଭାରତ । ଗତକାଲି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ରୋହିତ ଶର୍ମା ଓ କେ.ଏଲ୍ ରାହୁଲ । ରାହୁଲଙ୍କ ୧୧୧ ରନ୍ ଓ ରୋହିତଙ୍କ ୧୦୩ ରନ୍ ସହାୟତାରେ ଭାରତ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ସେହିପରି ଅନ୍ୟ ଏକ ରୋମାଞ୍ଚକର ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୦ ରନରେ ହରାଇଛି ।
ଅଧିନାୟକ ଫାଫ ଡୁପ୍ଲେସିସଙ୍କ ରୋମାଞ୍ଚକର ଶତକ ବଳରେ କଙ୍ଗାରୁ ଦଳ ଆଗରେ ଏକ ବଡ ଟାର୍ଗେଟ୍ ସେଟ୍ କରିପାରିଥିଲା ସାଉଥଆଫ୍ରିକା । ଡୁପ୍ଲେସିସ୍ ୯୪ଟି ବଲରୁ ୨ଟି ଛକା ଏବଂ ୭ଟି ଚୌକା ବଳରେ ୧୦୦ ରନ୍ କରଥିଲେ । ସେହିପରି ଡିକକ୍ ୫୨ ରନର ଅର୍ଦ୍ଧଶତକୀୟ ପାଳି ଏବଂ ଡୁସେନଙ୍କ ବିସ୍ଫୋରକ ୯୫ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ୍ ହରାଇ ୩୨୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୩୧୫ରନ୍ କରିପାରିଥିଲା । ଦକ୍ଷିଣ ଆଫ୍ରିକା ବିଜୟ ସହ ସେମିଫାଇନାଲରେ ନୂଆ ସମୀକରଣ ସୃଷ୍ଟି ହୋଇଛି । ୧୫ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିବା ଭାରତ ଏବେ ସେମିଫାଇନାଲରେ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ । ଆସନ୍ତା ୯ ତାରିଖରେ ଭାରତ ମଞ୍ଚେଷ୍ଟରରେ ଏହି ସେମିଫାଇନାଲ ଖେଳିବ । ଅନ୍ୟପକ୍ଷରେ ୧୪ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ୧୧ ତାରିଖରେ ବର୍ମିଂହାମରେ ହେବାକୁ ଥିବା ଦ୍ବିତୀୟ ସେମିଫାନାଲରେ ଇଂଲଣ୍ଡକୁ ଭେଟିବ ।
