ବେଙ୍ଗାଲୁରୁ : ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଦ୍ଵିତୀୟ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଗତବର୍ଷର ଚାମ୍ପିଅନ ବେଙ୍ଗାଲୁରୁ ଏଫସି ସହ ଡ୍ର ରଖି ଚମକ ସୃଷ୍ଟି କରିଛି । ସ୍ଥାନୀୟ କାନ୍ତିରବ ଷ୍ଟାଡିଅମରେ ଅନୁଷ୍ଠିତ ଏହି ମ୍ୟାଚ ଗୋଲ ଶୁନ୍ୟ ଭାବେ ଶେଷ ହେବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି ।
ଗତବର୍ଷ ସେମିଫାଇନାଲରେ ନର୍ଥଇଷ୍ଟ ୟୁନାଇଟେଡ଼କୁ ହରାଇଥିଲା ବେଙ୍ଗାଲୁରୁ ଏଫସି । କିନ୍ତୁ ଏଥର ବେଙ୍ଗାଳୁରୁ ଦଳର ଅଭିଯାନ ଶୁଭଙ୍କର ହୋଇନାହିଁ । ଅନ୍ୟ ପକ୍ଷରେ ଗତ ସିଜନରେ ଏକମାତ୍ର ଅପରାଜିତ ଦଳ ହୋଇଥିବା ନର୍ଥଇଷ୍ଟ ୟୁନାଇଟେଡ଼ ତାର ସମ୍ମାନ ଅତୁଟ ରଖିଛି ।
ଖେଳ ଆରମ୍ଭରୁ ବେଙ୍ଗାଲୁରୁ ଏଫସି ଚାପ ପକାଇ ଖେଳିବା ସହ ପ୍ରଥମ ପାଞ୍ଚ ମିନିଟରେ ଗୋଲ ଦେବାର ଦୁଇଟି ସୁଯୋଗ ସୃଷ୍ଟି କରିଥିଲା । ଏହା ପଛରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ବଡ ଭୂମିକା ଥିଲା । କିନ୍ତୁ ଫରୱାର୍ଡ଼ ଉଦାନ୍ତ ସିଂହ ଓ ମିଡ଼ଫିଲଡର ଏହାକୁ କାର୍ଯ୍ୟକାରୀ କରିପାରି ନଥିଲେ ।
ସେହିପରି ସପ୍ତଦଶ ମିନିଟରେ ଆଶିକ କୁରୁନିୟାନ ବାମ ପାର୍ଶ୍ୱ ଦେଇ ନର୍ଥଇଷ୍ଟ ୟୁନାଇଟେଡ଼ ଗୋଲପୋଷ୍ଟ ଆଡକୁ ମାଡି ଯିବା ସହ ପ୍ରଥପାକ୍ଷର ଦୁଇଜଣ ରକ୍ଷଣଭାଗ ଖେଳାଳିଙ୍କୁ କାଟି ଦେଇଥିଲେ । କିନ୍ତୁ ତାଙ୍କ ଡାହାଣ ପାଖରେ ଥିବା ସାଥି ଖେଳାଳିଙ୍କୁ କ୍ରସ ପାସ ଦେବା ପରିବର୍ତ୍ତେ ନିଜେ ଗୋଲ କରିବା ପାଇଁ ମାରିଥିବା ସଟ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା ।
ଅନ୍ୟ ପକ୍ଷରେ ମୂଳରୁ ସଂକଟରେ ଥିବା ନର୍ଥଇଷ୍ଟ ୟୁନାଇଟେଡ଼ ଦଳ ୩୫ତମ ମିନିଟରେ ଗୋଲ ଦେବାର ଏକ ସୁବର୍ଣ୍ଣ ସୁଯୋଗ ନଷ୍ଟ କରିଥିଲା । ବେଙ୍ଗାଲୁରୁ ରକ୍ଷଣ ଭାଗରେ ଏକ ତ୍ରୁଟିପୂର୍ଣ୍ଣ କ୍ଳିଅରାନ୍ସ ଯୋଗୁ ପ୍ରତିପକ୍ଷକୁ ମିଳିଥିଲା । ଏହି ସୁଯୋଗ କିନ୍ତୁ ନର୍ଥଇଷ୍ଟ ଖେଳାଳି ମାର୍ଟିନ ଚାଭେସ ନଷ୍ଟ କରିଥିଲେ । ତାଙ୍କ ସାମ୍ନାରେ ଗୋଲପୋଷ୍ଟ ପୁରା ଫାଙ୍କା ଥିବାସତ୍ୱେ ସେ ବଲ ବାହାରକୁ ମାରି ଦେଇଥିଲେ ।
ନର୍ଥଇଷ୍ଟ ୟୁନାଇଟେଡ଼ ଗୋଲ ରକ୍ଷକ ସୁଭାଶିଷ ରଏ ଏହି ମ୍ୟାଚରେ ଚମତ୍କାର ଖେଳ ପ୍ରଦର୍ଶନ କରି ଦଳକୁ ଏକାଧିକ ବିପଦରୁ ରକ୍ଷା କରିଥିଲେ । ପ୍ରଥମାର୍ଦ୍ଧ ଖେଳ ଗୋଲଶୁନ୍ୟ ଭାବେ ଶେଷହେବା ପରେ ଦ୍ଵିତୀୟାର୍ଦ୍ଧର ୫୨ତମ ମିନିଟରେ ଆଉ ଏକ ସୁଯୋଗ ମିଳିଥିଲା ନର୍ଥଇଷ୍ଟ ୟୁନାଇଟେଡ଼ର ତାରକା ଖେଳାଳି ଆସାମୋଆ ଜ୍ୟାନଙ୍କୁ । କିନ୍ତୁ ସେ ମାରିଥିବା ସଟ ଦୁର୍ଭାଗ୍ୟକ୍ରମେ ବାରରେ ବାଜି ଫେରି ଆସିଥିଲା ।
ଏହାପରେ ଉଭୟ ଦଳ କିଛି ଛୋଟମୋଟ ସୁଯୋଗ ପାଇ କାର୍ଯ୍ୟକାରୀ କରି ନପାରିବାରୁ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଥିଲା । ବେଙ୍ଗାଳୁରୁ ଦଳର ରାଫେଲ ଆଗୁସ୍ତୋ ହିରୋ ଅଫ ଡି ମ୍ୟାଚ ବେବେଚିତ ହୋଇ ୫୦ ହଜାର ଟଙ୍କା ପୁରସ୍କାର ଲାଭ କରିଥିଲେ ।