Odia News Portal

ଆଇଏସଏଲ ଆବିର୍ଭାବ ମ୍ୟାଚରେ ଛାପ ଛାଡିବା ଲକ୍ଷ୍ୟରେ ହାଇଦରାବାଦ

କୋଲକାତା : ହିରୋ ଇଣ୍ଡିଆନ ସୁପର ଲିଗର ନୂତନତମ ଦଳ ହାଇଦରାବାଦ ଏଫସି ତାର ପ୍ରଥମ ମ୍ୟାଚ ଶୁକ୍ରବାର ଦିନ ଘରୋଇ ଦଳ ଏଟିକେ ଏଫସି ବିପକ୍ଷରେ ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ ଠାରେ ଖେଳିବା ପାଇଁ ପହଂଚି ଯାଇଛି ।

ଗତ ରବିବାର ଦିନ ଆଇଏସଏଲ ଷଷ୍ଠ ସଂସ୍କରଣର ଉଦଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ନିକଟରୁ ପରାସ୍ତ ହୋଇଥିବା ଏଟିକେ ଦଳ ଆସନ୍ତା କାଲି ହାଇଦରାବାଦ ଏଫସି ବିପକ୍ଷରେ ବିଜୟ ହାସଲ ପାଇଁ ବ୍ୟାକୁଳ ରହିବ ।

ପୂର୍ବ ମ୍ୟାଚରେ ଏଟିକେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରି କାର୍ଲ ମ୍ୟାକହଫଙ୍କ ଗୋଲ ବଳରେ ଅଗ୍ରଣୀ ଲାଭ କରିଥିଲା । କିନ୍ତୁ ପ୍ରତିରକ୍ଷା ବିଭାଗରେ ତ୍ରୁଟି ଏବଂ ପୁରାଭାଗରେ ପ୍ରଗଳଭତା ଯୋଗୁ ଏହା କେରଳ ଦଳ ଦ୍ୱାରା ଦଣ୍ଡିତ ହୋଇଥିଲା । ଏଟିକେ ଦଳର ସ୍ପେନ ପ୍ରଶିକ୍ଷକ ଆଣ୍ଟନିଓ ହାବାସଙ୍କ ମତରେ କୋଚିଠାରେ ତାଙ୍କ ଦଳ ହାରିବା ପାଇଁ ଯୋଗ୍ୟ ନଥିଲା । ସେ ମଧ୍ୟ ସ୍ୱୀକାର କରନ୍ତି ଯେ ହାଇଦରାବାଦ ବିପକ୍ଷରେ ସେମାନଙ୍କୁ ମ୍ୟାଚ ଜିତିବାକୁ ପଡିବ ।

ମୁଁ ଭାବୁଛି ଆମ ଦଳରେ ସମ୍ଭବତଃ ଅଧିକ ଭାରସାମ୍ୟ ଦରକାର ପଡୁଛି । ଆମ ଖେଳାଳିମାନେ ଉନ୍ନତ ଖେଳ ପ୍ରଦର୍ଶନ କରିବା ଦରକାର । ଆମ ଦଳରେ ସାତ ଜଣ ନୂଆ ଖେଳାଳି ଅଛନ୍ତି ଏବଂ ଏକ ନୂଆ ଦଳରେ ସଠିକ ଭାରସାମ୍ୟ ଆଣିବା ବଡ କଠିନ । କେରଳ ବିପକ୍ଷରେ ଆମେ ବହୁତ ସୁଯୋଗ ନଷ୍ଟ କରିଥିଲୁ । ଆମେ ସେ ମ୍ୟାଚ ହାରିବା ଉଚିତ ନଥିଲା । ତେବେ ଆମକୁ ଏବେ ଆଗରେ ଥିବା ମ୍ୟାଚ ବିଷୟରେ ଚିନ୍ତା କରିବାକୁ ପଡିବ,” ବୋଲି କହିଲେ ହାବାସ ।

ଆଇଏସଏଲରେ ଖାତା ଖୋଲିବା ପାଇଁ ଏକାଧିକ ସୁଯୋଗ ପାଇଥିବା ତାରକା ଷ୍ଟ୍ରାଇକର ରଏ କ୍ରିଷ୍ଣା ଓ ଜାଭି ହର୍ଣ୍ଣାଣ୍ଡେଜ ହାଇଦରାବାଦ ବିପକ୍ଷରେ ଏଟିକେ ଆକ୍ରମଣର ମୁଖ୍ୟ ଆୟୁଧ ହେବେ । ସେମାନଙ୍କୁ ମାଇକେଲ ସୁସାଇରାଜ  ଭଲ ସହାୟତା ଦେବେ ବୋଲି ଆଶା କରାଯାଏ ।

ନୂଆ ଦଳ ବିପକ୍ଷରେ ଘରୋଇ ସୁବିଧାର ପୁରା ଫାଇଦା ନେବାଲାଗି ଏଟିକେ ଉଦ୍ୟମ କରିବ । “ଆମେ ଆସନ୍ତା କାଲି ନିଶ୍ଚିତ ଜିତିବା ଉଚିତ । ଆମେ ଆମ ଖେଳରେ ଚତୁରତା ଦୃଷ୍ଟିରୁ ସବୁକିଛି ପ୍ରୟୋଗ କରିବା ଆବଶ୍ୟକ । ଗୁତୁତ୍ତ୍ୱପୁର୍ଣ ହେଲା ମ୍ୟାଚ ଜିତିବା ଲାଗି ଭଲ ଖେଳିବା ଦରକାର,” ବୋଲି କହିଲେ ହାବାସ ।
ହାଇଦରାବାଦ ଏଫସି ନୂଆ ଦଳ ହେଲେ ମଧ୍ୟ ଏହାର ବହୁତ ଖେଳାଳି ଆଇଏସଏଲ ସହ ସୁପରିଚିତ ଅଛନ୍ତି । ସେହପରି ଦଳରେ ଅଛନ୍ତି  ମାରସେଲିନୋ ଓ ମାର୍କୋ ଷ୍ଟାନକୋଭିଚଙ୍କ ଭଳି ମ୍ୟାଚ ଜିତିବାର ଦକ୍ଷତା ଥିବା ତାରକା ଖେଳାଳି । ଏସବୁ ବିଷୟ ପ୍ରତି ଦୃଷ୍ଟି ଦେଇ ହାଇଦରାବାଦ ପ୍ରଶିକ୍ଷକ ଫିଲ ବ୍ରାଉନ ଶୁଭର ସହିତ ସିଜନ ଆରମ୍ଭ କରିବାକୁ ଦୃଢ ବିଶ୍ୱାସ ରଖିଛନ୍ତି ।

ଏଫସି ପୁନେ ସିଟି ଦଳରୁ ମୁଁ ମୋ ସହିତ ଅଧାରୁ ଅଧିକ ଭାରତୀୟ ଖେଳାଳି ଏବଂ ଦୁଇ ଵେଦେଶୀ ଖେଳାଳି ମାରସେଲିନୋ ଓ ମାର୍କୋ ଷ୍ଟାନକୋଭିଚଙ୍କୁ ଧରି ଆସିଛି । ଭାରତୀୟ ଖେଳ ଶୈଳୀକୁ ବୁଝିବାରେ ମାର୍କୋଙ୍କର ବଢିଆ ମୁଣ୍ଡ ରହିଛି । ମାରସେଲିନୋ ଏମିତି ଜଣେ ଖେଳାଳି ଯିଏ ଯେକୌଣସି ସ୍ଥାନରେ ଫୁଟବଲ ମ୍ୟାଚ ଜିତିପାରିବେ,” ବୋଲି କହିଲେ ବ୍ରାଉନ।
ଜାମାଇକା ଫରୱାର୍ଡ଼ ଜାଇଲସ ବାର୍ନେସ ଓ ବ୍ରାଜିଲ ଫରୱାର୍ଡ଼ ବୋବୋଙ୍କ ଭଳି ହାଇଦରାବାଦ ପାଖରେ ଭଲ ଆକ୍ରମଣକାରି ଖେଳାଳି ଅଛନ୍ତି । କିନ୍ତୁ ସ୍ପେନ ମିଡ଼ଫିଲଡର ନେଷ୍ଟର ଗର୍ଡିଲୋଙ୍କୁ ନିଖିଳ ଭାରତ ଫୁଟବଲ ଫେଡେରେସନ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବାସନ୍ଦ କରିଥିବାରୁ ସେ ଏହା ପୂର୍ବରୁ ଦଳ ପାଇଁ ଖେଳିବାକୁ ଉପଲବ୍ଧ ହେବେନାହିଁ ।

ଏହା ସତ୍ତ୍ୱେ ବ୍ରାଉନ ଦଳର ଏକ ପରିଚୟ ପ୍ରତିଷ୍ଠା କରିବାର ସକାରାତ୍ମକ ଉଦ୍ଦେଶ୍ୟ ନେଇ ଏକ ବ୍ୟସ୍ତ ବହୁଳ ସିଜନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ନୂଆ ଦଳ ଭାବେ ନୂଆ ଲିଗ ଖେଳିବାକୁ ଯାଉଥିବାରୁ ଆଇଏସଏଲର ବ୍ରାଣ୍ଡ ବଢାଇବା ଆମର ଦାୟିତ୍ୱ ହେବ । ଆଇଏସଏଲରେ ୧୦ଟି ଦଳ ଅଛନ୍ତି । କିନ୍ତୁ ଆମ ପାଖରେ ଏପର୍ଯ୍ୟନ୍ତ କୌଣସି ପରିଚୟ ନାହିଁ । ଆମକୁ ସେହି ପରିଚୟ ପାଇବାକୁ ପଡିବ । ଆଗାମୀ ୧୧-୧୨ ଦିନ ଭିତରେ ଆମର ୪ଟି ମ୍ୟାଚ ରହିଛି ଏବଂ ଏହା ଭିତରେ ପ୍ରତ୍ୟେକ ଖେଳାଳି ପରିଚୟ ହାସଲ କରିବେ,”ବୋଲି କହିଲେ ବ୍ରାଉନ ।

ଏବେ ପ୍ରଶ୍ନ ହେଉଛି କଣ ବ୍ରାଉନଙ୍କ ଦଳ ତାଙ୍କ ଆତ୍ମବିଶ୍ୱାସକୁ ଶୁକ୍ରବାର ଦିନ ବିଜୟରେ ପରିଣତ କରିବ ନା ଏଟିକେ ପୂର୍ବ ମ୍ୟାଚରେ ପାଇଥିବା ପରାଜୟକୁ ପଛରେ ପକାଇ ଘରୋଇ ପଡିଆରେ କମାଲ ଦେଖାଇବ ?