ଗୁଆହାଟୀ : ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିଅମରେ ଆଜି ଅନୁଷ୍ଠିତ ଷଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗର ସପ୍ତମ ମ୍ୟାଚରେ ଓଡିଶା ଏଫସିକୁ ୨-୧ ଗୋଲରେ ହରାଇ ଘରୋଇ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି । ବିଜୟୀ ଦଳ ପକ୍ଷରୁ ରିଡିମ ଟିଲାଙ୍ଗ ଓ ଅସାମୋଆ ଜିଆନ ଏବଂ ଓଡିଶା ଏଫସି ତରଫରୁ ସିସ୍କୋ ହର୍ନାଣ୍ଡେଜ ଗୋଲ ସ୍କୋର କରିଥିଲେ । ପୂର୍ବରୁ ଜାମସେଦପୁର ଏଫସି ନିକଟରୁ ୨-୧ ଗୋଲରେ ହାରିଥିବା ନବାଗତ ଓଡିଶା ଏଫସିର ଏହା କ୍ରମାଗତ ଦ୍ଵିତୀୟ ପରାଜୟ ।
ରିଡିମ ଟିଲାଙ୍ଗ ଦ୍ଵିତୀୟ ମିନିଟରେ ମାର୍ଟିନ ଚାଭେଜ ଓ ପାନାଜିଓଟିସ ଟ୍ରାଏଡ଼ିସଙ୍କ ଠାରୁ ସହାୟତା ପାଇ ମ୍ୟାଚର ପ୍ରଥମ ଗୋଲ ଦେଇଥିଲେ । ସପ୍ତମ ମିନିଟରେ ନାରାୟଣ ଦାସ ଓ ଶୁଭମ ଷଡ଼ଙ୍ଗୀ ଓଡିଶା ଏଫସି ପାଇଁ ସୃଷ୍ଟି କରିଥିଲେ ପ୍ରଥମ ସୁଯୋଗ । କିନ୍ତୁ ମାର୍ଟିନ ଜୀଉଡେସ ମାରିଥିବା ଫ୍ରି କିକକୁ ନର୍ଥଇଷ୍ଟ ଗୋଲକିପର ସୁଭାଶିଷ ରାୟ ଅନାୟାସରେ ଅଟକାଇ ଦେଇଥିଲେ । ଏହାର ଛଅ ମିନିଟ ପରେ ସୁଭାଶିଷ ରାୟ ତାଙ୍କ ଦଳକୁ ଆଉ ଏକ ବିପଦରୁ ରକ୍ଷା କରିଥିଲେ । ଏଥର ସେ ଜେରୀ ମାଅମିଙ୍ଗଥାଙ୍ଗାଙ୍କ ସଟକୁ ଧରି ନେଇଥିଲେ ।
ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧ ଖେଳରେ ଉଭୟ ଦଳ ପକ୍ଷରୁ ଘନଘନ ଆକ୍ରମଣ ଯୋଗୁ ଦୁଇ ଗୋଲରକ୍ଷକ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ । ୩୨ତମ ମିନିଟରେ ଓଡିଶା ଏଫସି ଗୋଲରକ୍ଷକ ଅର୍ଶଦୀପ ସିଂ ଦଳ ଉପରୁ ଏକ ବିପଦ ଏଡ଼ାଇଥିଲେ । ସେହିପରି ୩୫ତମ ମିନିଟରେ ସୁଭାଶିଷ ରାୟ ଓଡିଶା ଦଳର କାର୍ଲସ ଡେଲଗାଡୋଙ୍କ ଶକ୍ତିଶାଳୀ ହେଡରକୁ ଗୋଟିଏ ହାତରେ ଅଟକାଇ ଘରୋଇ ଦଳକୁ ଏକ ନିଶ୍ଚିତ ଗୋଲରୁ ଦଳକୁ ରକ୍ଷା କରିଥିଲେ ।
ତେବେ ଖେଳର ୭୧ତମ ମିନିଟରେ ସିସ୍କୋ ହର୍ନାଣ୍ଡେଜ ଓଡିଶା ଏଫସି ପକ୍ଷରୁ ଗୋଲ ସୁଝାଇ ମ୍ୟାଚ ସ୍ଥିତି ବରାବର କରିଥିଲେ । ଏହାର ଦୁଇ ମିନିଟ ପରେ ରେଫରୀ ଡେଲଗାଡୋଙ୍କୁ ନାଲି କାର୍ଡ ଦେଖାଇ ପଡ଼ିଆରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେବାରୁ ଓଡିଶା ଦଳକୁ ଏକ ଶକ୍ତ ଧକ୍କା ଲାଗିଥିଲା ଏବଂ ଦଳ ଅବଶିଷ୍ଟ ସମୟତକ ୧୦ ଜଣରେ ଖେଳିଥିଲା ।
ଏହାର ସୁଯୋଗ ନେଇ ନର୍ଥଇଷ୍ଟ ୟୁନାଇଟେଡ଼ ୮୪ତମ ମିନିଟରେ ତାର ତାରକା ଖେଳାଳି ଅସାମୋଆ ଜିଆନଙ୍କ ଜରିଆରେ ବିଜୟ ସୂଚକ ଦ୍ଵିତୀୟ ଗୋଲ ସ୍କୋର କରିଥିଲା । ଏହି ଗୋଲ ପାଇଁ ଜିଆନ ହିରୋ ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ । ସେହିପରି ମ୍ୟାଚର ଉଦୀୟମାନ ଖେଳାଳି ପୁରସ୍କାର ଘରୋଇ ଦଳର ରିଡ଼ିମ ଟିଲାଙ୍ଗଙ୍କୁ ପ୍ରଦାନ କରାଯାଇଥିଲା ।