ମୁମ୍ବାଇ : ସ୍ଥାନୀୟ ମୁମ୍ବାଇ ଫୁଟବଲ ଏରିନାରେ ଆଜି ଅନୁଷ୍ଠିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଦ୍ୱାଦଶ ମ୍ୟାଚରେ ଘରୋଇ ମୁମ୍ବାଇ ସିଟି ଏଫସିକୁ ୪-୨ ଗୋଲରେ ହରାଇ ଚମକ ସୃଷ୍ଟି କରିଛି ନବାଗତା ଓଡିଶା ଏଫସି । କ୍ରମାଗତ ଦୁଇଟି ପରାଜୟ ସହ ଆଇଏସଏଲ ଅଭିଯାନ ଆରମ୍ଭ କରିଥିବା ଓଡିଶା ଏଫସିର ଏହା ପ୍ରଥମ ବିଜୟ ।
ଅନ୍ୟ ପକ୍ଷରେ କେରଳ ବ୍ଲାଷ୍ଟର୍ସ ଏଫସି ଏବଂ ଚେନ୍ନାଇୟିନ ଏଫସି ବିପକ୍ଷରେ କ୍ରମାଗତ ଦୁଇଟି ବାହାର ମ୍ୟାଚ ଖେଳି ସିଜନ ଆରମ୍ଭ କରିଥିବା ମୁମ୍ବାଇ ସିଟିର ଏହା ପ୍ରଥମ ପରାଜୟ । କୋଚି ଠାରେ ସେମାନେ ପୁରା ତିନି ପଏଣ୍ଟ ପାଇଥିବା ବେଳେ ଚେନ୍ନାଇ ଠାରେ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲେ ।
ଆଜିର ମ୍ୟାଚରେ ଦୁଇଟି ଗୋଲ ଦେଇ ଓଡିଶା ଦଳର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆରିଡେ଼ନ ସାଣ୍ଟାନା । ଓଡିଶା ଏଫସି ସମ୍ପୁର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ମଧ୍ୟାନ୍ତର ସୁଦ୍ଧା ୩-୦ ଗୋଲରେ ଆଗୁଆ ରହିଥିଲା । ଓଡିଶା ପକ୍ଷରୁ ପ୍ରଥମ ଗୋଲ ସିସ୍କୋ ହର୍ଣ୍ଣାଣ୍ଡେଜ ଷଷ୍ଠ ମିନିଟରେ ସ୍କୋର କରିଥିଲେ । ଏହି ଗୋଲ ପାଇଁ ତାଙ୍କୁ ପାସ ଦେଇଥିଲେ ସାଣ୍ଟାନା ।
ଖେଳର ୨୧ତମ ମିନିଟରେ ସାଣ୍ଟାନା ତାଙ୍କର ପ୍ରଥମ ଗୋଲ ଦେଇ ଓଡିଶା ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ । ଦଳ ପକ୍ଷରୁ ତୃତୀୟ ଗୋଲ ୪୧ତମ ମିନିଟରେ ସ୍କୋର କରିଥିଲେ ଜେରୀ ମାଅମିଙ୍ଗଥାଙ୍ଗା । ପ୍ରଥମାର୍ଦ୍ଧରେ ସମ୍ପୁର୍ଣ୍ଣ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଥିବା ମୁମ୍ବାଇ ସିଟି ଦଳ ଦ୍ଵିତୀୟାର୍ଦ୍ଧରେ ମହମଦ ଲାର୍ବିଙ୍କ ଗୋଲ ବଳରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା । ୫୧ତମ ମିନିଟରେ ପେନାଲଟି କିକ ଯୋଗେ ଏହି ଗୋଲ ସ୍କୋର କରିଥିଲେ ଲାର୍ବି ।
ତେବେ ୭୩ତମ ମିନିଟରେ ସାଣ୍ଟାନାଙ୍କ ଦ୍ଵିତୀୟ ଗୋଲ ବଳରେ ଓଡିଶା ଏଫସି ତାର ଅଗ୍ରଣୀ ବ୍ୟବଧାନ ୪-୧କୁ ବୃଦ୍ଧି କରିଥିଲା । ମ୍ୟାଚର ଅନ୍ତିମ ମିନିଟରେ ମୁମ୍ବାଇ ସିଟି ପକ୍ଷରୁ ବିପିନ ସିଂ ସାନ୍ତ୍ୱନାମୂଳକ ଦ୍ଵିତୀୟ ଗୋଲ ଦେଇ ପରାଜୟ ବ୍ୟବଧାନ ୨-୪କୁ ହ୍ରାସ କରିଥିଲେ ।
ଆଜିର ଖେଳରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଓଡିଶା ଏଫସିର ଡିଫେଣ୍ଡର ଶୁଭମ ଷଢଙ୍ଗିଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ତାଙ୍କ ଦଳର ଜେରୀ ମାଅମିଙ୍ଗଥାଙ୍ଗାଙ୍କୁ ପ୍ରଦାନ କରାଯାଇଥିଲା । ଆଇସଏଲ ଏମରଜିଙ୍ଗ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ଓଡିଶା ଦଳକୁ ଯାଇଥିଲା ଏବଂ ଏହା ଗ୍ରହଣ କରିଥିଲେ ନନ୍ଦକୁମାର ସେକର ।