Odia News Portal

ମାନବୀରଙ୍କ ଗୋଲ ବଳରେ ପରାଜୟରୁ ବର୍ତ୍ତିଲା ଏଫସି ଗୋଆ

ଗୁଆହାଟୀ : ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ ୨୦୧୯-୨୦ସିଜନର ତ୍ରୟୋଦଶ ମ୍ୟାଚ ଦୁଇ ଅପରାଜିତ ଦଳ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଏବଂ ଏଫସି ଗୋଆ ମଧ୍ୟରେ ୨-୨ ଗୋଲ ରେ ଅମିମାଂସିତ ଭାବେ ଶେଷ ହୋଇଛି । ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିଅମରେ ଆଜି ଅନୁଷ୍ଠିତ ଏହି ଉତ୍କଣ୍ଠାପୁର୍ଣ ମ୍ୟାଚରୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ସଂଗ୍ରହ କରିଛନ୍ତି ।

ଘରୋଇ ନର୍ଥଇଷ୍ଟ ୟୁନାଇଟେଡ଼ ବିଜୟର ଦ୍ୱାରଦେଶରେ ଉପନୀତ ଥିବାବେଳେ ମାନବୀର ସିଂଙ୍କ ଶେଷ ମୁହୁର୍ତ୍ତ ଗୋଲ ଗୋଆ ଦଳକୁ ପରାଜୟରୁ ବଞ୍ଚାଇଥିଲା । ଏହା ପୂର୍ବରୁ ଗୋଆ ପକ୍ଷରୁ ହୁଗୋ ବୌମସ ଏବଂ ନର୍ଥଇଷ୍ଟ ୟୁନାଇଟେଡ଼ ତରଫରୁ ଆସାମୋଆ ଜିଆନ ଓ ରିଡ଼ିମ ଲାଙ୍ଗ ଗୋଲ ଦେବାରେ ସଫଳ ହୋଇଥିଲେ ।

ପ୍ରଥମାର୍ଦ୍ଧର ଅଧିକାଂଶ ସମୟ ଗୋଆ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା । ସେମାନେ ପ୍ରତିପକ୍ଷ ଠାରୁ ଅଧିକ ସୁଯୋଗ ମଧ୍ୟ ସୃଷ୍ଟି କରିଥିଲେ । ସେଥିମଧ୍ୟରୁ ଗୋଟିଏ ସୁଯୋଗ ଗୋଲପୋଷ୍ଟରେ ବାଜି ବେକାର ଯାଇଥିଲା । ତେବେ ଗୋଆ ଦଳର କ୍ରମାଗତ ଆକ୍ରମଣ ଶେଷରେ ୩୧ ମିନିଟରେ ଫଳପ୍ରଦ ହେଲା ଯେତେବେଳେ ମ୍ୟାଚର ପ୍ରଥମ ଗୋଲ ସ୍କୋର କଲେ ହୁଗୋ ବୌମସ ।

ଗୋଟିଏ ଗୋଲରେ ପଛେଇବା ପରେ ନର୍ଥଇଷ୍ଟ ୟୁନାଇଟେଡ଼ ତାର ପ୍ରକୃତ ଖେଳ ଆରମ୍ଭ କରିଥିଲା । କିନ୍ତୁ ଘରୋଇ ଦଳ ଏକାଧିକ ସୁଯୋଗ ପାଇ ଗୋଲ ସୁଝାଇବାରେ ସଫଳ ହୋଇପାରି ନଥିଲା । ନର୍ଥଇଷ୍ଟର ତାରକା ଷ୍ଟ୍ରାଇକର ଆସାମୋଆ ଜିଆନ ୩୪ତମ ମିନିଟରେ ଏକ ସୁବର୍ଣ୍ଣ ସୁଯୋଗ ନଷ୍ଟ କରିଥିଲେ ।

ତେବେ ମ୍ୟାଚର ୫୪ତମ ମିନିଟରେ ଜିଆନ ତାଙ୍କର ପୂର୍ବ ଭୁଲ ସୁଧାରି ଗୋଲ ପରିଶୋଧ କରିଥିଲେ । ଏହି ଗୋଲ ପରେ ନର୍ଥଇଷ୍ଟ ଦଳ ତାର ଆକ୍ରମଣ ଶାଣିତ କରି ମ୍ୟାଚ ନିଜ ନିୟନ୍ତ୍ରଣକୁ ନେଇଥିଲା । ଘରୋଇ ଦର୍ଶକଙ୍କ ବିପୁଳ ସମର୍ଥନ ଦଳକୁ ଅଧିକ ଉତ୍ସାହ ଯୋଗାଇଥିଲା । ଏହାର ଫାଇଦା ନେଇ ରିଡ଼ିମ ଲାଙ୍ଗ ୭୪ ମିନିଟରେ ଦ୍ଵିତୀୟ ଗୋଲ ଦେବା ସହିତ ନର୍ଥଇଷ୍ଟକୁ ୨-୧ରେ ଅଗ୍ରଣୀ କରିଥିଲେ ।

କିନ୍ତୁ ଏହି ଗୋଲ ପରେ ମ୍ୟାଚ ନାଟକୀୟ ମୋଡ ନେଇଥିଲା । ୯୦ତମ ମିନିଟରେ ଗୋଆର ସିମିନଲେନ ଡଙ୍ଗେଲ ନର୍ଥଇଷ୍ଟ ୟୁନାଇଟେଡ଼ର ମାର୍ଟିନ ଚାଭେସଙ୍କୁ ବିପଜ୍ଜନକ ଫାଉଲ ମାରିବା ଯୋଗୁ ରେଫରୀ ରାମସ୍ଵାମୀ ଶ୍ରୀକ୍ରୀଷ୍ଣା ତାଙ୍କୁ ନାଲି କାର୍ଡ ଦେଖାଇ ପଡ଼ିଆରୁ ବାହାର କରିଦେଇଥିଲେ । ଏହି ବିପର୍ଯୟରେ ଗୋଆ ଦଳ କିନ୍ତୁ ଦବିଯାଇ ନଥିଲା ।

ଖେଳର ଅତିରିକ୍ତ ସମୟରେ ମାନବୀର ସିଂ ହେଡ଼ କରି ଗୋଆ ପକ୍ଷରୁ ଦ୍ଵିତୀୟ ଗୋଲ ଦେବା ସହିତ ନର୍ଥଇଷ୍ଟ ୟୁନାଇଟେଡ଼ର ବିଜୟ ଆଶା ଧୂଳିସାତ କରିଦେଇଥିଲେ ।

ଆଜିର ଖେଳରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମାନବୀର ସିଂଙ୍କୁ ପ୍ରଦାନ କରାଯାଇଥିବା ବେଳେ ଉଭୟ ହିରୋ ଅଫ ଦି ମ୍ୟାଚ ଓ ଆଇସଏଲ ଏମରଜିଙ୍ଗ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ରିଡ଼ିମ ଲାଙ୍ଗ ଲାଭ କରିଥିଲେ ।