ଅହମ୍ମଦାବାଦ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ୍ରେ ଭାରତ ପରାସ୍ତ ହୋଇଛି । ଇଂଲଣ୍ଡ ଏହି ମ୍ୟାଚରେ ଏକତରଫା ବିଜୟୀ ହୋଇଛି ।ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ଭାରତ ୧୨୪ ରନ ସଂଗ୍ରହ କରିଥିବାବେଳେ ଇଂଲଣ୍ଡ ୧୫.୩ ଓଭରରେ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା ।
ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ରନ ୧୨୪ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୬୭ ରନ କରି ଆଉଟ ହୋଇଛନ୍ତି । ଯେଉଁଥିରେ ୮ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଅଛି । ଖେଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡକୁ ଦ୍ବିତୀୟ ଓଭରରେ ହିଁ ବଡ ସଫଳତା ମିଳିଥିଲା । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ପ୍ରଥମ ସଫଳତା ହାସଲ କରିଥିଲେ । କେଏଲ ରାହୁଲ ମାତ୍ର ୧ ରନ୍ କରି ଆଉଟ ହୋଇଥିଲେ । ରାହୁଲଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କୋହଲି ମଧ୍ୟ ନିରାଶ କରିଥିଲେ । ଖାତା ଖୋଲିବା ପୂର୍ବରୁ ଆଦିଲ ରସିଦଙ୍କ ବଲରେ କ୍ରସ୍ ଜୋର୍ଡନଙ୍କ ହାତରେ କ୍ୟାଚ୍ ଦେଇଥିଲେ କୋହଲି । ଶିଖର ଧାଓ୍ବନ ମଧ୍ୟ ନିରାଶ କରିଥିଲେ । ଦଳ ମାତ୍ର ୨୦ ରନ୍ କରିଥିବା ବେଳେ ଶିଖର ଧାଓ୍ବନ ୪ ରନ କରି ଆଉଟ ହୋଇଥିଲେ ।
ଋଷଭ ପନ୍ତ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୨୩ ବଲ ଖେଳି ୨୧ ରନ୍ ଆଉଟ ହୋଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା ୧୯ ରନ୍, ସାର୍ଦ୍ଧୁଳ ଠାକୁର ୦ ରନ୍ କରି ଆଉଟ ହୋଇଛନ୍ତି । ସେହିଭଳି ଓ୍ବାଶିଂଟନ ସୁନ୍ଦର ୩ ରନ ଏବଂ ଅକ୍ଷର ପଟେଲ ୭ ରନକରି ନଟ୍ ଆଉଟ ଅଛନ୍ତି ।ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଆଦିଲ ରସିଦ, ମାର୍କ ଡଡ୍, କ୍ରିସ୍ ଜୋର୍ଡନ ଏବଂ ବେନ୍ ଷ୍ଟୋକସ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।
ଜବାବରେ ଇଂଲଣ୍ଡ ଜେସନ ରୟଙ୍କ (୪୯), ବଟଲର (୨8), ବେଆରସ୍ତୋ ଅପରାଜିତା (୨୬), ମାଲନ ଅପରାଜିତା (୨୪ ) ରନ କରି ଦଳକୁ ବିଜୟ ଦେଇଥିଲେ । ଭାରତ ପକ୍ଷରୁ ଚହଲ ଓ ସୁନ୍ଦର ଗୋଟିଏ ଲେଖାଁଏ ସଫଳତା ପାଇଥିଲେ ।