ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ) ଉପରେ ଏବେ ଆସିଛି ସବୁଠାରୁ ବଡ ଖବର। କରୋନା ଭାଇରସ କାରଣରୁ ଟୁର୍ଣ୍ଣାମେଣ୍ଟକୁ ୨ ସପ୍ତାହ ପାଇଁ ଘୁଞ୍ଚାଇବାର ନିଷ୍ପତ୍ତି ନିଆଯାଇଛି। ଏବେ ଟୁର୍ଣ୍ଣାମେଣ୍ଟର ୧୩ ତମ ସିଜିନର ଆରମ୍ଭ ୧୫ ଅପ୍ରେଲରୁ କରାଯିବ। ଆଇପିଏଳ-୧୩ର ଆରମ୍ଭ ୨୯ ମାର୍ଚ୍ଚରୁ ମୁମ୍ବାଇରେ ଚେନ୍ନାଇ ସୁପରକିଙ୍ଗ ଓ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ମ୍ୟାଚ୍ ହେବାର ଥିଲା। ବିସିସିଆଇର ରିଲିଜ୍ ଅନୁସାରେ ଭାରତ ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀ ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ବୋର୍ଡ ସଚିବ ଜୟ ଶାହ ଓ ଇଣ୍ଡିଆନ୍ ପ୍ରିମିୟର ଲିଗର ଶୀର୍ଷ ଅଧିକାରୀ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖନୀୟ ଯେ, ଭାରତ ସରକାର ସଂକ୍ରମଣ ରୋକିବା ପାଇଁ ସତର୍କତା ଭାବରେ ବୁଧବାର ସମସ୍ତ ବିଦେଶୀ ଭିସାକୁ ୧୫ ଅପ୍ରେଲ ପର୍ଯ୍ୟନ୍ତ ନିଲମ୍ବିତ କରିଛି। ବୋର୍ଡର ରିଲିଜ୍ ଅନୁସାରେ, ବିସିସିଆଇ ଆଇପିଏଲ ୨୦୨୦କୁ ୧୫ ଅପ୍ରେଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି।
ଏହା ପୂର୍ବରୁ, ଆଇପିଏଲ ଆୟୋଜନ ପାଇଁ ଶନିବାର ଅର୍ଥାତ ୧୪ ମାର୍ଚ୍ଚରେ ସମସ୍ତ ୮ଟି ଫ୍ରାଞ୍ଚାଇଜ ମାଲିକଙ୍କୁ ଡକାଇଥିଲା। କିନ୍ତୁ ଏହା ପୂର୍ବରୁ ବିସିସିଆଇ ଦ୍ବାରା ଲିଗକୁ ପ୍ରାୟ ଦୁଇ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। ଗୁରୁବାର ଦିଲ୍ଲୀ ସରକାର ମଧ୍ୟ ଆଇପିଏଲର ମ୍ୟାଚ୍ ଉପରେ ରୋକ ଲଗାଇ ଦେଇଥିଲେ। ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଆଇପିଏଲ ବ୍ୟାନ୍ କରିବାର ଘୋଷଣା କରିଥିଲେ।