Odia News Portal

ବଲ ବଏରୁ ଜାମସେଦପୁର ଏଫସି, ଆନିକେତଙ୍କ ସ୍ୱପ୍ନର ଯାତ୍ରା

ଭୁବନେଶ୍ବର : ଏହା ବହୁ ପୂର୍ବର କଥା ନୁହେଁ ଯେତେବେଳେ ପୁନେ ସ୍ଥିତ ଵାଲେବାଡ଼ି ଷ୍ଟାଡିଅମରେ ପ୍ରିତମ କୋଥାଲ ଓ ଲେନି ରଡରିଗସଙ୍କ ଭଳି ଖେଳାଳିଙ୍କୁ ହିରୋ ଇଣ୍ଡିଆନ ସୁପର ଲିଗର ପ୍ରଥମ ସଂସ୍କରଣରେ ପାସ ଯୋଗାଉଥିଲେ ୧୪-ବର୍ଷୀୟ ଆନିକେତ ଯାଦବ । ଛଅ ବର୍ଷ ପରେ ଜାମସେଦପୁର ଏଫସି ପକ୍ଷରୁ ନିଜର ପ୍ରଥମ ଆଇଏସଏଲ ସିଜନରେ ସେଇମାନଙ୍କୁ ସାମ୍ନା କରିବା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ଆନିକେତ ।

ଭାରତର ୨୦୧୭ ଫିଫା ବିଶ୍ୱ କପ ଦଳ ପାଇଁ ମନୋନୀତ ହୋଇ ଲୋକ ଲୋଚନକୁ ଆସିଥିବା ଏହି ଯୁବ ଖେଳାଳି ଗତ ମଙ୍ଗଳବାର ଦିନ ଜାମସେଦପୁର ସ୍ଥିତ ଜେଆରଡି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ଏଫସି ବିପକ୍ଷରେ ତାଙ୍କର ପ୍ରଥମ ଆଇଏସଏଲ ମ୍ୟାଚ ଖେଳିଛନ୍ତି ।

୧୭ ବର୍ଷରୁ କମ ବିଶ୍ୱ କପ ପରେ ଏଆଇଏଫଏଫର ବିକାଶାତ୍ମକ ଦଳ ଇଣ୍ଡିଆନ ଆରୋଜ ପକ୍ଷରୁ ଖେଳିଥିବା ୧୯ ବର୍ଷୀୟ ଆନିକେତ କହନ୍ତି, ସତ କହିବାକୁ ଗଲେ ମୋର ପ୍ରଥମ ଆଇଏସଏଲ ସିଜନ ପାଇଁ ଜାମସେଦପୁର ଏଫସିରେ ଯୋଗ ଦେବାକୁ ମୁଁ ବହୁତ ଉତ୍ସାହୀ ଥିଲି । ଏହି ସିଜନରେ ଆଗକୁ ଆହୁରି ଭଲ ଖେଳିବାକୁ ଲକ୍ଷ୍ୟ ରଖୁଛି ।

କୋଲାହପୁରରେ ଜନ୍ମିତ ଆନିକେତ ଜାମସେଦପୁର ଏଫସିରେ ଯୋଗଦେବା ସମ୍ପର୍କରେ କହନ୍ତି, ମୁଁ ଛୋଟ ଥିବାବେଳେ ସୁବ୍ରତ ପଲ ଓ ଜାମସେଦପୁର ଏଫସିର ସହକାରୀ ପ୍ରଶିକ୍ଷକ ଷ୍ଟିଭେନ ଡାଏସ ଅନୁସରଣ କରୁଥିଲି । ହିରୋ ଇଣ୍ଡିଆନ ସୁପର ଲିଗର ପ୍ରଥମ ଦୁଇ ସିଜନରେ ଵାଲେବାଡ଼ି ଷ୍ଟାଡିଅମରେ ମ୍ୟାଚ ବେଳ ମୁଁ ପ୍ରକୃତରେ ବଲ ବଏ ହିସାବରେ କାମ କରିଥିଲି । ପାଞ୍ଚ ଛଅ ଜଣ ବରିଷ୍ଠ ଖେଳାଳିଙ୍କ ସହ କଥାବାର୍ତା ପରେ ମୁଁ ଜାମସେଦପୁର ଦଳରେ ଯୋଗଦେବା ପାଇଁ ଚୁକ୍ତି ସ୍ଵାକ୍ଷର କରିଥିଲି । ସେମାନେ ଜାମସେଦପୁରରେ ଥିବା ବ୍ୟବସ୍ଥା ଓ ଦଳର ପରମ୍ପରା ବିଷୟରେ ଉଚ୍ଚ ପ୍ରସଂଶା କରିଥିଲେ ।

ସିଜନ ବନ୍ଦ ବେଳେ ଆନିକେତ ଇଂଲିଶ କ୍ଲବ ବ୍ଲାକବର୍ଣ ରୋଭର୍ସରେ ତିନିମାସ ତାଲିମ ନେଇ ଅଭିଜ୍ଞତା ହାସଲ କରିଥିଲେ । ସେହି ଅଭିଜ୍ଞତା ଆଗାମୀ ଆଇଏସଏଲ ସିଜନରେ ବ୍ୟବହାର ପାଇଁ ସେ ଯୋଜନା କରିଛନ୍ତି ।

ଗତ ସିଜନରେ ଜାମସେଦପୁର ଏଫସି ଆନିକେତଙ୍କୁ ନେବାପରେ ଧାର ସୂତ୍ରରେ ଇଣ୍ଡିଆନ ଆରୋଜକୁ ଅର୍ପଣ କରିଥିଲା । ବ୍ଲାକବର୍ଣ୍ଣ ଅଭିଜ୍ଞତା ସମ୍ପର୍କରେ ଆନିକେତ କହନ୍ତି, ସେଠାରେ ମୁଁ ଭଲ ଏକ୍ସପୋଜର ପାଇଲି । ଜଣେ ପେସାଦାର ଫୁଟବଲ ଖେଳାଳି ଭାବେ ବହୁତ କିଛି ଶିଖିଲି । ସେସବୁ ମୁଁ ହିରୋ ଆଇଏସଏଲ ପ୍ରୟୋଗ କରିବି ।

ଆନିକେତ ଭଲ ଭାବେ ଜାଣନ୍ତି ଯେ ଅଭିଜ୍ଞ ସି କେ ଭିନୀତ ଓ ଭାରତୀୟ ଆନ୍ତର୍ଜାତିକ ଖେଳାଳି ଫାରୁକ ଚୌଧୁରୀଙ୍କ ଆଗରେ ଦଳର ପ୍ରଥମ ଏକାଦଶରେ ସ୍ଥାନ ପାଇବା ରାସ୍ତା ବଡ କଠିନ । ସେଥିପାଇଁ ସେ କାମକରି ଏତେବାଟ ଆସିଛନ୍ତି । ଏବେ ଆଇଏସଏଲ ଦେଉଥିବା ମଜା ଘଣ୍ଟାଏ ପାଇଁ ଚାଖିବା ପରେ ସେ ଆହୁରି ଅଧିକ ଉତ୍ସାହିତ ହୋଇଛନ୍ତି ।