Odia News Portal

ଶାନ୍ତି କମିଟି ବୈଠକ ସଫଳ : ଆଜି ସକାଳ ୬ଟାରୁ କେନ୍ଦ୍ରାପଡ଼ାରେ କର୍ଫ୍ୟୁ ପ୍ରତ୍ୟାହାର

କେନ୍ଦ୍ରାପଡ଼ା: ଅଶାନ୍ତ କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ଲାଗି ଗତକାଲି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ଫଳରେ ପରିସ୍ଥିତି ସୁଧୁରିଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ତେବେ କର୍ଫ୍ୟୁ ଉଠାଇ ଦିଆଯାଇଥିଲେ ମଧ୍ୟ ୧୪୪ଧାରା ବଳବତ୍ତର ରହିବ। ଗତକାଲି ଦୁଇ ଗୋଷ୍ଠୀଙ୍କ ସହ ଏସ୍‌ପି, କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଥିରେ ସହରରେ ଖୁବଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ସମସ୍ତେ ମତ ଦେଇଥିଲେ। ଆଜି ସକାଳ ୯ଟାରେ ଶାନ୍ତି କମିଟି ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଶୋଭାଯାତ୍ରା ହେବ। ଏଥିସହ ଆଗାମୀ ଦିନରେ ଏଭଳି ପରିସ୍ଥିତିକୁ କିପରି ଏଡ଼ାଯାଇପାରିବ ସେ ନେଇ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି।