ଅହମ୍ମଦାବାଦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ 4ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ବର୍ତ୍ତମାନ ଘରୋଇ ଭାରତ 2-1ରେ ଅଗ୍ରଣୀ ହାସଲ କରିଥିବାରୁ ଅନ୍ତିମ ଟେଷ୍ଟରେ କୌଣସିମତେ ହାର୍ ନ ମାନି ସଫଳତାର ସହ ସିରିଜ୍ ଶେଷ କରିବାକୁ ଆପ୍ରାଣ ଉଦ୍ୟମ କରିବ । ଏଥିନିମନ୍ତେ ଭାରତୀୟ ଦଳ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଆଜି ଅପରାହ୍ନରେ ପ୍ରବଳ ଖରାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ଆଜିଙ୍କ୍ୟ ରାହାଣେ କଡ଼ା ଅଭ୍ୟାସ କରିଛନ୍ତି । ତିିନି ଜଣ ଯାକ ବରିଷ୍ଠ ଖେଳାଳି ଦ୍ରୁତ ଓ ସ୍ପିନରଙ୍କ ବିପକ୍ଷରେ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଛନ୍ତି । ଚତୁର୍ଥ ଟେଷ୍ଟରେ ପୁଣି ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିବ । ଅ ଭ୍ୟାସ ସେସନରେ ଡ୍ରାଇଭ୍, ପୁଲ୍ ଓ ଫ୍ଲିକ୍ଡ ସଟ୍ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ରବି ଶାସ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତି ରହି ରୋହିତ ଓ କୋହଲିଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ କୋହଲି ଓ ରୋହିତ ଏକାଠି ବସିଥିବାର ଦେଖାଯାଇଥିଲା । ବାମହାତୀ ସ୍ପିନର ଅକ୍ଷର ପଟେଲ ଯିଏକି ପୂର୍ବ ଟେଷ୍ଟରେ 11 ଓ୍ୱିକେଟ ନେଇଥିଲେ । ଏହି ଅବସରରେ ସେ ମଧ୍ୟ ଓ୍ୱାର୍ମଅପ୍ କରୁଥିବା ମଧ୍ୟ ଦେଖାଯାଇଥିଲା ।
ଭାରତର ପ୍ରମୁଖ ବୋଲର ଜଶପ୍ରୀତ ବୁମରାହ ବ୍ୟକ୍ତିଗତ କାରଣ ଦର୍ଶାଇ ଶେଷ ଟେଷ୍ଟରୁ ବାଦ ପଡିଛନ୍ତି । ତେବେ ତାଙ୍କ ସ୍ଥାନରେ ଅହମ୍ମଦାବାଦ ଟେଷ୍ଟରେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇପାରେ । ଅଷ୍ଟ୍ରେଲିଆ ଗସ୍ତ ବେଳେ ଆହତ ହୋଇଥିବା ଉମେଶ ଯାଦବଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ 2 ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଉଥିଲା । ମୋଟେରାରେ ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ 3 ଜଣ ସ୍ପିନରଙ୍କ ସହିତ ପଡିଆକୁ ଓଲ୍ଲାଇବା ପ୍ରାୟତଃ ସ୍ପଷ୍ଟ ହୋଇସାରିଛି। ରବିଚନ୍ଦ୍ରନ ଅଶ୍ୱିନ ଏବଂ ଅକ୍ଷର ପଟେଲ ଶେଷ ଟେଷ୍ଟରେ ଜଲଓ୍ୱା ଦେଖାଇବାକୁ ତୟାର। ସେପଟେ ଓ୍ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ତୃତୀୟ ସ୍ପିନର ଭାବେ ଦଳରେ ସାମିଲ କରାଯାଇପାରେ । ପେସର୍ ଭାବେ ଅଭିଜ୍ଞ ଇଶାନ୍ତ ଶର୍ମା ଦଳରେ ରହିବା ସ୍ପଷ୍ଟ ତାଙ୍କ ସହିତ ଉମେଶ ଯାଦବଙ୍କୁ ଦଳରେ ନିଆଯାଇପାରେ ।