Odia News Portal

ନୀତୀଶ ରାଣା ଓ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ : କୋଲକାତା ନାଇଟ ରାଇଡର୍ସ ବିଜୟୀ

କୋଲକାତା: ନୀତୀଶ ରାଣା ଓ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ସନରାଇଜର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୮୧ ରନ୍ କରିଥିଲା। ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୮୫ ରନ୍ ଓ ବିଜୟ ଶଙ୍କର ଦ୍ରୁତ ୪୦* ରନ୍ କରିଥିଲେ। ଜବାବରେ କେକେଆର ୧୯.୪ ଓଭରରେ ୪ ୱିକେଟ ହରାଇ ୧୮୩ ରନ୍ କରି ବିଜୟୀ ହୋଇଛି। କେକେଆର ପକ୍ଷରୁ ନୀତୀଶ ସର୍ବାଧିକ ୬୮ (୪୭ ବଲ୍, ୮ ଚୌକା, ୩ ଛକା), ରସେଲ ଅପରାଜିତ ୪୯ (୧୯ ବଲ, ୪ ଚୌକା, ୪ ଛକା) ଓ ଶୁବମାନ ଗିଲ୍ ୧୮ (୧୦ ବଲ, ୨ ଛକା) ରନ୍ କରିଛନ୍ତି। ୧୮୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା କେକେଆରକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର କ୍ରିସ ଲିନ ମାତ୍ର ୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ନୀତୀଶ ଓ ରବିନ ଉଥାପ୍ପା ଦ୍ୱିତୀୟ ୱିକେଟ ପାଇଁ ୮୦ ରନର ଭାଗୀଦାରୀ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଉଥାପ୍ପା ୩୫ (୨୭ ବଲ, ୩ ଚୌକା, ୧ ଛକା) ରନ୍ କରି ସିଦ୍ଧାର୍ଥ କୌଲଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଧିନାୟକ ଦିନେଶ କାର୍ତ୍ତିକ ମାତ୍ର ୨ ରନ୍ କରି ଆଉଟ ହୋଇଥିଲେ। ନୀତୀଶ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ଚେଷ୍ଟାରେ ଆଉଟ ହୋଇଯାଇଥିଲେ। ତାଙ୍କୁ ରଶିଦ୍ ଖାନ୍ ଏଲବିଡବ୍ଲ୍ୟୁ ଆଉଟ କରିଥିଲେ। ଏହା ପରେ ରସେଲ ଓ ଗିଲ ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ପଞ୍ଚମ ୱିକେଟ ପାଇଁ ଅପରାଜିତ ୬୫ ରନ୍ ଯୋଡ଼ି କେକେଆରକୁ ବିଜୟୀ କରାଇଥିଲେ। ସନରାଇଜର୍ସ ପକ୍ଷରୁ ସାକିବ ଅଲ ହାସନ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ ଓ ରଶିଦ୍ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।