ଭୁବନେଶ୍ବର () ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଂଚଳ ଗସ୍ତ କରିବା ସହ ସପ୍ରାଇଜ ଭିଜିଟ ପାଇଁ ପରାମର୍ଶ ଦେଇଥିଲେ । ସେହି କ୍ରମରେ ରାଜ୍ୟର ଦୁଇ ଯୁବ ମନ୍ତ୍ରୀ ସୁଶାନ୍ତ ସିଂହ ଓ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ରାଜଧାନୀରେ ଅଚାନକ ଗସ୍ତ କରି ନିଜ ନିଜ ବିଭାଗ ଅଧିନରେ ଥିବା କାର୍ୟ୍ୟର ବାସ୍ତବ ସ୍ଥିତି ପରଖିଛନ୍ତି ।
ଶ୍ରମ ଓ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂହ ଭୁବନେଶ୍ବର ଖାରବେଳନଗର ସ୍ଥିତ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରୟ ଗୃହ ପରିଦର୍ଶନରେ ଯାଇଥିଲେ ।ଅପରାହ୍ନରେ ଅଚାନକ ମନ୍ତ୍ରୀ ଏହି ଆଶ୍ରୟ ଗୃହରେ ପହଁଚି ସେଠାରେ ରହୁଥିବା ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଆଶ୍ରୟ ଗୃହର ପରିସ୍ଥିତିର ମଧ୍ୟ ଯାଞ୍ଚ କରିଥିଲେ । ଖୁବଶୀଘ୍ର ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ ତାର ସମୀକ୍ଷା କରିବେ । ଏହି ଆଶ୍ରୟ ଗୃହରେ ଏକ ଆହାର କେନ୍ଦ୍ର ଖୋଲିବା ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି । ଏଠାରେ ରାଜଧାନୀକୁ ବିଭିନ୍ନ ଅଞ୍ଚଳକୁ ଦୈନିକ କାମ ସନ୍ଧାନରେ ଆସୁଥିବା ଲୋକଙ୍କ ପାଇଁ ପ୍ରତିଷ୍ଠା କରାଯାଇଛି । ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିଲେ ବି ଖାଦ୍ୟର ବ୍ୟବସ୍ଥା ନାହିଁ । ତେଣୁ ଆହାର କେନ୍ଦ୍ର ଖୋଲାଗଲେ ସେମାନେ 5ଟଙ୍କାରେ ମଧ୍ୟାହ୍ନ ଭୋଜନ ପାଇପାରିବେ ।
ସେହିଭଳି ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମିଶ୍ର ଅଚାନକ ଖଣ୍ଡଗିରି ଥାନାରେ ପହଞ୍ଚିଥିଲେ । ଏଠାରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିବା ସମୟରେ ରାଜଧାନୀରେ ହେଉଥିବା ନିଶା କାରବାରକୁ ପ୍ରତିହତ କରିବା ସହ ସମ୍ପୃକ୍ତ ଦଲାଲ୍ ଓ ଚୋର ନିଶା ବେପାରୀଙ୍କୁ ଦୃଢହସ୍ତେ ଦମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକେ ଥାନାକୁ ଫୋନ୍ କଲେ ସେମାନଙ୍କ ଆପତ୍ତି ଅଭିଯୋଗର ଉତ୍ତର ଯେଭଳି ଥାନା ପକ୍ଷରୁ ତୁରନ୍ତ ଦିଆଯିବ ସେ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ସ୍ପଷ୍ଟ ଭାବେ କହିଛନ୍ତି ।
