Odia News Portal

ଏକାଠି ହେଲେ ରାଜ୍ୟର କୁକୁଡ଼ା ଚାଷୀ, ଗଠନ ହେଲା ସଂଘ

ଭୁବନେଶ୍ୱର () ରାଜ୍ୟର ଅଣ୍ଡା ଶିଳ୍ପରେ ଗତ କିଛି ମାସ ଧରି ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଥିଲାବେଳେ ଏହାର ସଫଳ ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଲେୟାର୍ ଫାର୍ମର ଏକାଠି ହୋଇଛନ୍ତି ।

ଗତ କିଛି ମାସ ଧରି ଅଣ୍ଡା ଶିଳ୍ପରେ ଭୟଂକର ସ୍ଥିତି ଦେଖାଦେଇଛି । କୁକୁଡ଼ା ଖାଦ୍ୟ ଦର ଅତ୍ୟନ୍ତ ବୃଦ୍ଧି ପାଇଥିଲାବେଳେ ଅଣ୍ଡାର ଦର ଦିନକୁ ଦିନ କମିବାରେ ଲାଗିଛି । ଖାଉଟି ପୂର୍ବରୁ ଯେଉଁ ଦରରେ ଅଣ୍ଡା କିଣୁଥିଲା, ଏବେ ସେହି ଦରରେ ଅଣ୍ଡା କିଣୁଥିଲାବେଳେ ମଝିରେ ଟ୍ରେଡ଼ର ହିଁ ମାଲାମାଲ୍ ହେଉଛି । କିନ୍ତୁ ଅଣ୍ଡା ଚାଷୀ ବହୁ କମ୍ ମୂଲ୍ୟ ପାଉଛି ।

ଅଣ୍ଡାର ଦର ନିର୍ଦ୍ଧାରଣ କରୁଥିବା ଏନଇସିସିର ଚାଷୀମାରଣ ନୀତି ଯୋଗୁଁ ଆଜି ଅଣ୍ଡା ଚାଷୀମାନେ ତାଙ୍କର ଫାର୍ମ ବନ୍ଦକରିବା ଅଥବା ଆତ୍ମହତ୍ୟା କରିବା ସ୍ଥିତିକୁ ଆସି ସାରିଲେଣି । ରାଜ୍ୟ ସରକାର ଅଣ୍ଡା ଶିଳ୍ପକୁ ପ୍ରୋତ୍ସାହନ ଦେବାପାଇଁ ସବସିଡ଼ିର ବ୍ୟବସ୍ଥା କରିଥିଲାବେଳେ ସେପଟେ ଏନଇସିସିର ଚାଷୀମାରଣ ନୀତି ତଥା ଖାଦ୍ୟ ଦର ବୃଦ୍ଧି ଅଣ୍ଡା ଶିଳ୍ପକୁ ବହୁ କ୍ଷତି ପହଞ୍ଚାଉଛି ।

ଏସବୁର ସମ୍ମିଳିତ ମୁକାବିଲା କରିବାପାଇଁ ଆଜି ରାଜଧାନୀରେ ରାଜ୍ୟର ସମଗ୍ର ଅଣ୍ଡା ଚାଷୀମାନେ ଏକାଠି ହୋଇଥିଲେ । ବୈଠକରେ ପ୍ରଥମେ ନୂତନ ରାଜ୍ୟସ୍ତରୀୟ ସଂଘ ଗଠନ କରିବା ସହ ଏହାର ନାମ “ଅଲ୍ ଓଡ଼ିଶା ଲେୟାର୍ ଫାର୍ମର୍ସ ଆସୋସିଏସନ୍” ଭାବେ ନାମକରଣ କରିଥିବା ଜଣାପଡ଼ିଛି । ଏହାର ଅଧ୍ୟକ୍ଷ ଭାବେ ମାନସ ରଞ୍ଜନ ମଙ୍ଗରାଜଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ସଭାପତି ଭାବରେ ବି.ବି.ଚୌଧରୀ, ଉପ ସଭାପତି ଭାବେ ଦେବନ୍ଦ୍ର ବିଶ୍ୱାଳ, ସାଧାରଣ ସଂପାଦକ ଭାବେ ଏଲ୍. ସରୋଜ କୁମାର ପାତ୍ର, ଯୁଗ୍ମ ସଂପାଦକ ଭାବେ ବନ୍ଧନ ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ସନ୍ତୋଷ ପାତ୍ରଙ୍କୁ ମନେୀନୀତ ହୋଇଛନ୍ତି ।

ସେହିପରି ସଂଘ ପରାମର୍ଶଦାତା ଭାବେ ପ୍ରସନ୍ନ କୁମାର ବସ୍ତିଆ ଏବଂ ମଦନ ମୋହନ ରାଉତ ମନୋନୀତ ହୋଇଛନ୍ତି । ଖୁବ୍ ଶୀଘ୍ର ଏହି କମିଟି ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କୁ ଭେଟି ଚାଷୀଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବାପାଇଁ ବୈଠକରେ ସ୍ଥିର କରାଯାଇଛି । ଏଥିସହ ଏନଇସିସିର ଅଧ୍ୟକ୍ଷା ନିଜ ବ୍ୟବସାୟିକ ସ୍ୱାର୍ଥ ରଖି କ୍ଷୁଦ୍ର ଅଣ୍ଡା ଚାଷୀମାରଣ ନୀତି ଧରିଥିବାରୁ ତାଙ୍କ କମ୍ପାନୀ ଭେଙ୍କିସଠାରୁ ଆଗକୁ କୌଣସି କୁକୁଡା ଚିଆଁ ନନେବାକୁ ଏହି ବୈଠକରେ ସ୍ଥିର କରାଯାଇଥିଲା । ଆଜିର ବୈଠକରେ ଓଡ଼ିଶାର ପ୍ରାୟ ୮୦ରୁ ଉଦ୍ଧ୍ୱର୍ ଅଣ୍ଡା ଚାଷୀ ଯୋଗ ଦେଇଥିଲେ ।