ନୂଆଦିଲ୍ଲୀ() କରୋନା ଭାଇରସକୁ ଚିହ୍ନଟ କରିଥିବା ଡାକ୍ତରଙ୍କ ମୃତ୍ୟୁ । ଗୁରୁବାର ମୃତ୍ୟୁବରଣ କରିଛନ୍ତି ଡାକ୍ତର ଲି ୱେନଲିୟାଙ୍ଗ। ଡାକ୍ତର ଲି’ ୨୦୧୯ ଡିସେମ୍ବର ୩୦ରୁ ଏ ନେଇ ସତର୍କ କରାଇଥିଲେ। ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର ପୁରାତନ ଛାତ୍ରମାନଙ୍କ ଚାଟିଂ ଗ୍ରୁପରେ ସେ ଏ ନେଇ ୱେବ ଚାଟ କରିଥିଲେ । ସେ ଲେଖିଥିଲେ ,ସ୍ଥାନୀୟ ମାଛ ବଜାରର ୭ ଜଣ ରୋଗୀ ଡାକ୍ତରଖାନାକୁ ଆସିଛନ୍ତି ଏବଂ ସେମାନଙ୍କଠାରେ ସାର୍ସ ଭଳି ରୋଗର ଲକ୍ଷଣ ରହିଛି । ଯାଞ୍ଚ ପରେ ଜଣାପଡିଲା ଏହି ରୋଗ ହେଉଛି କରୋନା ଭୂତାଣୁ ଜନିତ ।
ନିଜ ବିଶ୍ବ ବିଦ୍ୟାଳୟର ସାଙ୍ଗମାନଙ୍କୁ ମଧ୍ୟ ସେ ଏ ସଂପର୍କରେ ସତର୍କ କରାଇ ଦେଇଥିଲେ । ତେବେ ନିଜ ପରିବାର ସଦସ୍ୟଙ୍କୁ ଗୋପନୀୟ ଭାବେ ଏହି ରୋଗ ସଂପର୍କରେ ଜଣାଇଦେବା ପାଇଁ ସେ ସାଙ୍ଗମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହୁଥିବା ଏକ ଭିଡିଓ ଓ ଘର ଲୋକଙ୍କୁ ମେସେଜ ଦେଉଥିବାବେଳେ କେହି ତାଙ୍କର ସ୍କ୍ରିନ ସଟ୍ ଉଠାଇଥିଲେ ଯାହା ପରେ ଭାଇରାଲ ହୋଇଥିଲା । ପରେ ମିଥ୍ୟା ଅପପ୍ରଚାର ଚଳାଉଥିବା ନେଇ ପ୍ରଶାସନ ତାଙ୍କୁ ନୋଟିସ ଜାରି ମଧ୍ୟ କରିଥିଲା । ସେ ନିଜ ଘର ଲୋକଙ୍କୁ ପଠାଇଥିବା ମେସେଜକୁ ମଧ୍ୟ ଯାଞ୍ଚ କରାଯାଇଥିଲା । ପରେ ପରେ ତାଙ୍କୁ ଏ ନେଇ ପଚରାଉୁଚୁରା କରାଯାଇଥିଲା । ସେ କିପରି ଏ ବିଷୟରେ ଜାଣିଲେ ବୋଲି ତାଙ୍କୁ ଜେରା କରାଯାଇଥିଲା। ତେବେ ତାଙ୍କ ସ୍ବର ଚପାଇ ଦେବା ପାଇଁ ଉଦ୍ୟମ କରାଯାଇଥିଲା ଓ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିବାକୁ କୁହାଯାଇଥିଲା । ସେ ନିଜେ ମଧ୍ୟ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ଓ ତାଙ୍କର ଚିକିତ୍ସା ଜାରି ରହିଥିଲା ।