ପରମ୍ପରାରେ ମହାବିଷୁବ ସଂକ୍ରାନ୍ତିଆଜି ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ସମଗ୍ର ରାଜ୍ୟରେ ପାଳନ କରାଯାଉଛି । ସୌର ବର୍ଷ ଗଣନାନୁଯାୟୀ ସୌର ବୃତ୍ତର ପ୍ରଥମ ବିନ୍ଦୁରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କର ସ୍ଥିତି ହିଁ ଏହି ମହାବିଷୁବ ସଂକ୍ରାନ୍ତି(ପଣା ସଂକ୍ରାନ୍ତି) ର ପୂର୍ଣ୍ଣ ମହତ୍ତ୍ୱ ରହିଛି । ଏହା ସାଧାରଣତଃ ଅପ୍ରେଲ ମାସର ମଧ୍ୟଭାଗରେ ଅର୍ଥାତ୍ ବୈଶାଖ ମାସ ପ୍ରଥମ ଦିନରେ ପଡିଥାଏ ।

ଓଡିଆ ପାଂଜିକାରକ ଗଣନା ଅନୁଯାୟୀ ଋତୁରାଜ ବସନ୍ତର ଶେଷ ଦିନ ପରେ ଗ୍ରୀଷ୍ମମାସର ପ୍ରଥମ ଦିନ ହିଁ ମହାବିଷୁବ ସଂକ୍ରାନ୍ତି ଯାହାକି ଓଡିଆ ନବବର୍ଷ ଅଟେ ।ବିଷୁବ ସଂକ୍ରାନ୍ତି ଦିନ ଠାରୁ ଉତ୍ତର ଗୋଲାର୍ଦ୍ଧରେ ଅଧିକ ସୂର୍ଯ୍ୟକିରଣ ପଡୁଥିବାରୁ ଭୁପୃଷ୍ଠରେ ଅହେତୁକ ଭାବରେ ତାପମାତ୍ରା ବୃଦ୍ଧି ପାଇ ବାୟୁର ଗତି କ୍ରମେ ପ୍ରଖର ହୋଇଥାଏ । ଏହାକୁ ପ୍ରଶମିତ କରିବା ପାଇଁ ବିଶ୍ୱ ଏକତାର ଭାବନାରେ ଅନୁପ୍ରାଣିତ ହୋଇ ସମାଜର କଲ୍ୟାଣ ନିମନ୍ତେ ମାନବ ସମାଜ ଚାରିଆଡେ ହୋମ, ଯଜ୍ଞ ଆଦି ଆୟୋଜନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏହି ଦିନରେ ଅନେକ ଦାନ, ଧର୍ମ କରିବାର ପରଂପରା ରହିଛି ।ଏହି ଦିନ ପ୍ରଭୁ ସଂକଟମୋଚନ ହନୁମାନଙ୍କ ଜୟନ୍ତୀ । ଆମ ସଂସ୍କୃତିରେ ପ୍ରତ୍ୟେକ ଗୃହସ୍ଥ ନିଜ ନିଜର ବିପଦ ଆପଦରେ ଅନ୍ୟ ଦେବାଦେବୀଙ୍କ ଭଳି ହନୁମାନଙ୍କୁ ସଂକଟମୋଚନଭାବେ ସ୍ମରଣ କରିଥାନ୍ତି । ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ଲିଖିତ ପବିତ୍ର ହନୁମାନ ଚାଳିଶାକୁ ଦେଶ ସାରା ଲୋକମାନେ ରିଷ୍ଟଖଣ୍ଡନ ପାଇଁ ପାଠ କରିଥାନ୍ତି । ଅଧିକାଂଶ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥାଏ ଯେଉଁଥିରେ ହଜାର ହଜାର ଲୋକେ ଏକ ସମୟରେ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । କାରଣ ସମସ୍ତଙ୍କ ମତ ହେଉଛି ହନୁମାନ ହେଉଛନ୍ତି ପୁରାଣ ଶାସ୍ତ୍ରର ଏକମାତ୍ର ଚରିତ୍ର ଯାହାକୁ କାଳ କିମ୍ବା ଯମ ସ୍ପର୍ଶ କରିପାରେନାହିଁ । ହନୁମାନଙ୍କର ଏହି ଅପରିଣାମ ଶକ୍ତି ପଛରେ ରହିଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ସଂପୁର୍ଣ୍ଣ ସମର୍ପଣଭାବ ଯାହାର ଆହାର ବିହାର ଶୟନେ ସପନରେ ସଂସାରର ମଙ୍ଗଳ ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଚିନ୍ତା ।

ଏହି ନବ ବର୍ଷରେ ପଞ୍ଚ ଦେବତା ଗଣେଷ, ନାରାୟଣ, ରୁଦ୍ର, ଅମ୍ବିକା ଓ ଭାଷ୍କର ବା ସୂର୍ଯ୍ୟଦେବକୁ ଭକ୍ତି ଓ ନିଷ୍ଠାର ସହ ପୂଜାପାଠ କରାଯାଇଥିବା ସ୍ଥଳେ ସତ୍ୟ, ଦ୍ୱାପର କଳି ଚାରି ଯୁଗର ଜୀବନ୍ତ ଠାକୁରଭାବେ ପ୍ରଭୁ ହନୁମାନଙ୍କୁ ପୂଜାପାଠରେ ପ୍ରାଧାନ୍ୟ ଦିଆଯାଇଥାଏ । ଏହି ଦିନ ନୃସିଂହ ଠାକୁରଙ୍କ ପୂଜା ମହାଅ ।ଡମ୍ବରେ ପୂଜା କରାଯାଇଥାଏ । ଏହି ନବ ବର୍ଷରେ ବୃକ୍ଷମୂଳରେ ଜଳଦାନ ତଥା ଆବାହମାନକାଳରୁ ରହିଆସିଅଛି ସେଥିପାଇଁ ହିନ୍ଦୁ ପରିବାରରେ ଚଉରାରେ ପୂଜା ପାଉଥିବା ତୁଳସୀ ଗଛ ଉପରେ ଛାମୁଡିଆ କରି ଏକ ଘଡିରେ ଜଳ ରଖି ତାର ନିମ୍ନଭାଗରେ ଛିଦ୍ର କରି ସୂକ୍ଷ୍ମଧାରରେ ଜଳଦାନ କରାଯାଇଥାଏ । ଏପରିକି କେତେକ ସ୍ଥଳରେ ରାସ୍ତାକଡରେ ପଥିକଙ୍କ ପାଇଁ ଜଳଛତ୍ର ଖୋଲାଯାଇଥାଏ । ଦେବାଦେବୀ ମନ୍ଦିର ତଥା ଗୃହମାନଙ୍କରେ ପଣାଭୋଗ କରାଯାଇ ପଣାପାନର ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ସାହିପଡିଶା ବନ୍ଧୁବାନ୍ଧବ ମାନଙ୍କୁ ପଣାରେ ଆପ୍ୟାୟିତ କରାଯାଇଥାଏ ଯାହାକୁ ଆମେ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି କହିଥାଉ ।

ଏହି ଦିନ ପବିତ୍ର ଝାମୁଯାତ୍ରାର ଉଦଯାପନ ଦିବସ ରୂପେ ପାଳନ କରାଯାଏ ଏବଂ ଦଣ୍ଡଯାତ୍ରା ଆଦି କରାଯାଇଥାଏ ।ଏହି ନବ ବର୍ଷ ଉତ୍ସବର ପାଳନର ଲକ୍ଷ୍ୟ ହେଉଛି ଆନନ୍ଦର ଆସ୍ୱାଦନ ଯାହା ସମସ୍ତଙ୍କୁ ଆହ୍ଲାଦିତ କରି ହୃଦୟ କନ୍ଦରରୁ ହୃଦୟର ଆଧ୍ୟାତ୍ମିକ ପରିଭାଷା ସୃଷ୍ଟି କରିଥାଏ । ଇତିହାସ କହେ ଏ ଦେଶ ଦିନେ ବିଶ୍ୱ ଭାତୃତ୍ୱରେ ଅଭିମନ୍ତ୍ରିତ ହୋଇ ତାର ସଂସ୍କୃତି, ଶିକ୍ଷା, ସଂସ୍କାର ଓ ସାଧନାରେ ସମଗ୍ର ବିଶ୍ୱକୁ ଏକତାର ମନ୍ତ୍ରରେ ବାନ୍ଧି ରଖି ଅମୃତମୟ ପରିବେଶ ସୃଷ୍ଟି କରିଥିଲା । ଆଜି କିନ୍ତୁ ସମଗ୍ର ପୃଥିବୀ ବିପଦମୁକ୍ତ ନୁହେଁ । ଗତ ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଅ ।ଜି ମହାମାରୀ କରୋନାର ପ୍ରଭାବରେ କବଳିତ ଓ ତାର ଭୟାବହତା ମନକୁ ଆସିଲେ ରୁମ ମୂଳ ଟାଙ୍କୁରୀ ଉଠୁଛି । ଯାହାଫଳରେ ନବ ବର୍ଷ ପାଇଁ କେତେକ ନୀତିନିୟମକୁ କଡାଭାବେ ପାଳନ କରିବାକୁ ପଡିବ । କାରଣ କରୋନାର ଦ୍ୱିତୀୟ ଲହରୀ ଜଟିଳ ହେବାକୁ ଲାଗିଲାଣି । ଏହି ପରିପ୍ରେକ୍ଷୀରେ ସମସ୍ତେ ମିଳିମିଶି ନୀତିନିୟମ ଭିତରେ ରହି ଏହାକୁ ପ୍ରତିହତ କରିପାରିଲେ ନବବର୍ଷ ଠାକୁରଙ୍କ ଦର୍ଶନ ନୂତନ ଆହ୍ୱ୍ୱାନ ଓ ନୂତନ ଚିନ୍ତାଧାରା ଆଣିଦେବ ସମସ୍ତଙ୍କ ପାଇଁ ।