Odia News Portal

ମାଓବାଦୀଙ୍କ ହୀନ ଚକ୍ରାନ୍ତ, ଯବାନଙ୍କୁ ଅପହରଣ

ମାଲକାନଗିରି : ବିଜାପୁରରେ ମାଓବାଦୀଙ୍କ ହମଲା ପରେ ସୁରକ୍ଷାକର୍ମୀମାନେ ନିଜ ରଣକୌଶଳ ବଦଳାଇଛନ୍ତି । ଫଳରେ କିଛି ଦିନ ହେଲା ନକ୍ସଲ ଦମନରେ ସୁରକ୍ଷାକର୍ମୀ ବଡ ସଫଳତା ପାଉଛନ୍ତି । ନକ୍ସଲମାନେ ଏଥିରେ ବିଚଳିତ ହୋଇପଡିଥିବାବେଳେ ସରକାରଙ୍କୁ ଅକଳରେ ପକାଇବାକୁ ମନ୍ଦ ଚିନ୍ତା କରୁଛନ୍ତି । ନିକଟରେ ପୋଲିସ ଇନଫର୍ମର ସନେ୍ଦହରେ ଦୁଇ ଛାତ୍ରଙ୍କୁ ହତ୍ୟା କରିବା ଏହାର ଜ୍ୱଳନ୍ତ ଉଦାହରଣ । ସେହିପରି ପୁଣି ଜଣେ ଯବାନଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ ।

ଆଜି ଅପରାହ୍ଣ ୪ଟା ବେଳେ ଏସଆଇ ମୁରଲୀ ତାତିଙ୍କୁ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାର ଗାଁରୁ ମାଓବାଦୀମାନେ ଉଠାଇନେଇଥିବା ସୂଚନା ମିଳିଛି । ସେ ବସ୍ତର ଜିଲ୍ଲା ଜଗଦଲପୁରଠାରେ କାର୍ଯ୍ୟରତ ଥିବା ବିଜାପୁର ଏସପି  କମୋଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ଛୁଟିରେ ଘରକୁ ଯାଇଥିବା ଯବାନ ଜଣକ ଆଜି ଅପରାହ୍ଣରେ ଗାଁ ନିକଟରେ ଚାଲିଥିବା ମେଳା ଦେଖିବାକୁ ଯାଇଥିବା ବେଳେ ମାଓବାଦୀ ତାଙ୍କୁ ଅପହରଣ କରିନେଇଥିଲେ । ଚଳିତ ମାସରେ ମାଓବାଦୀଙ୍କ ଦ୍ବାରା ଏହା ହେଉଛି ୨ୟ ଅପହରଣ ।

ଚଳିତ ମାସ ୩ ତାରିଖରେ ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ମାଓବାଦୀମାନେ  ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିବା ଫଳରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଏହା ସହିତ ମାଓବାଦୀମାନେ କମାଣ୍ଡୋ ରାକେଶ୍ବର ସିଂ ମାନହାସଙ୍କୁ ଅପହରଣ କରିନେଇଥିଲେ । ତେବେ ଏପ୍ରିଲ ୮ରେ ତାଙ୍କୁ ମାଓବାଦୀମାନେ ମୁକ୍ତ କରିଦେଇଥିଲେ ।