ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଆଉ ମାଇଲଷ୍ଟୋନ କରିଛନ୍ତି । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦୦୦ ରନ୍ ପୂରଣ କରିଛନ୍ତି । ମହିଳା ଇଣ୍ଟରନ୍ୟାଶନାଲ କ୍ରିକେଟରେ ଏହି ଉପଲବ୍ଧି ହାସଲ କରିଥିବା ଦ୍ୱିତୀୟ ଖେଳାଳି ହେଉଛନ୍ତି ମିତାଲି । ସେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲକ୍ଷ୍ନୌରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଏହି ରେକର୍ଡ କରିଛନ୍ତି । ତାଙ୍କ ପୂର୍ବରୁ ଇଂଲଣ୍ଡ କ୍ରିକେଟର ଚାଲୋର୍ଟ ଏଡଓ୍ୱାର୍ଡସ୍ ଏହି ମାଇଲ ଖୁଣ୍ଟ ଛୁଇଁଥିଲେ ।
ଏହି ମ୍ୟାଚ୍ ପୂର୍ବରୁ ମିତାଲି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୯୯୬୫ ରନ୍ କରିଥିଲେ । ୩୮ ରନ୍ କରିବା ପରେ ସେ ୧୦୦୦୦ ରନ୍ କରିବାରେ ସମର୍ଥ ହୋଇଥିଲେ । କିନ୍ତୁ ସେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ୩୬ ରନ୍ କରିବା ପରେ ସେ ନିଜ ଓ୍ୱିକେଟ ହରାଇଥିଲେ ।ମିତାଲିଙ୍କ ନାମରେ ଏବେ ୪୬. ୭୩ ଆଭରେଜରେ ୧୦୦୦୧ ଅନ୍ତର୍ଜାତୀୟ ରନ୍ ରହିଛି । ସେ ନିଜ କ୍ୟାରିଅରରେ ୭୫ଟି ଅର୍ଦ୍ଧଶତକ ଓ ୮ ଶତକ ଲଗାଇଛନ୍ତି ।
ବିସିସିଆଇ ମିତାଲିଙ୍କ ଏହି ଉପଲବ୍ଧି ପରେ ଟ୍ୱିଟ୍ କରି କହିଛି ଯେ, ଦମଦାର କ୍ରିକେଟର । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦୦୦ ରନ୍ ପୂର୍ଣ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର । ଅଭିନନ୍ଦନ ।
ସୂଚନାଯୋଗ୍ୟ. ଇଂଲଣ୍ଡର ଚାର୍ଲୋଟ ଏଡଓ୍ୱାର୍ଡସ୍ ନିଜ କ୍ୟାରିଅରରେ ୩୦୯ ମ୍ୟାଚ୍ ଖେଳି ୧୦୨୭୩ ରନ୍ କରିଛନ୍ତି । ସେ ଟେଷ୍ଟରେ ୧୬୭୬ ରନ, ଦିନିକିଆରେ ୫୯୯୬ ଓ ଟି୨୦ରେ ୨୬୦୫ ରନ୍ କରିଛନ୍ତି । ସେହିପରି ମିତାଲି ୨୦୨ଟି ଅନ୍ତରାଷ୍ଟ୍ରୀୟ ମୁକାବିଲାରେ ୧୦୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି ।