ପାଟନା() କୌଣସି ଜନମତ ସର୍ଭେ ଆକଳନ ଠିକ୍ ହେଲା ନାହିଁ। ଜନମତ ସର୍ଭେରେ ଯେଉଁ ଫଳାଫଳ ଆସିଥିଲା ବିହାର ନିର୍ବାଚନ ଫଳାଫଳ ତାର ଠିକ ଓଲଟା ଆସିଲା। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହେଲା ସତ, କିନ୍ତୁ ଶେଷରେ ଏନ୍ଡିଏକୁ ମିଳିଲା ବିଜୟ ମୁକୁଟ। ୨୪୩ ଆସନରୁ ୧୨୫ଟି ଆସନରେ ଏନଡିଏ ବିଜୟୀ ହୋଇ ଏବେ ପୁଣି ବିହାରରେ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୧୨୫ଟି ଆସନରୁ ବିଜେପି ୭୪ଟି ଏବଂ ଜେଡିୟୁ ୪୩ଟି ଆସନରେ ବିଜୟ ହାସଲ କରିଥିଲେ ମଧ୍ୟ ବିହାରରେ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିବେ ନୀତୀଶ କୁମାର। ଏ ନେଇ ବିଜେପି ପୂର୍ବରୁ ସ୍ପଷ୍ଟ କରି ସାରିଛି। ଏହି ବିଜୟ ସହ ନୀତୀଶ କୁମାର ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବନିବେ।
ତେବେ ଏନଡିଏ ୧୨୫ଟି ଆସନରେ ଜିତିଥିବା ବେଳେ ଆରଜେଡିର ମହାମେଣ୍ଟ ୧୧୦ଟି ଆସନରେ ଜିତିଛି। ସବୁଠାରୁ ଉଲ୍ଳେଖନୀୟ କଥା ହେଉଛି ଯେ ଏଥର ନୀତୀଶଙ୍କ ଜେଡିୟୁ ଆସନ ସଂଖ୍ୟା କମିଥିବା ବେଳେ ବିଜେପି ଆସନ ସଂଖ୍ୟା ବଢ଼ିଛି। ୭୬ଟି ଆସନ ସହିତ ଆରଜେଡି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ବେଳେ ଏହା ପଛକୁ ରହିଛି ବିଜେପି (୭୩), ଜେଡିୟୁ (୪୩) ଏବଂ କଂଗ୍ରେସ(୧୯)। ଅନ୍ୟପକ୍ଷରେ ବିଜେପି- ଜେଡିୟୁ ମେଣ୍ଟକୁ ୧୨୫ଟି ଆସନ ମିଳିଥିବାରୁ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି ମେଣ୍ଟ।
ତେବେ ମୋଦିଙ୍କ ଯୋଗୁଁ ନୀତୀଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କାରଣ ନୀତୀଶଙ୍କ ଉପରେ ଅସନ୍ତୋଷ ଥିଲେ ଜନତା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଣ୍ଟ୍ରି ଏନଡିଏକୁ ବଂଚାଇ ଦେଇଥିଲା । ମୋଦି ରାଜ୍ୟରେ ୧୨ଟି ରାଲି କରିଥିଲେ । ୧୨ଟି ରାଲିରେ ସେ କେନ୍ଦ୍ର ସରକାରଙ୍କ ଯୋଜନା କଥା କହିଥିଲେ । କେନ୍ଦ୍ର ପ୍ୟାକେଜ୍ ଓ ଯୋଜନା ଦ୍ୱାରା ବିହାରର କେମିତି ମଙ୍ଗଳ ହୋଇଛି ତାହା ବୁଝାଇ କହିବାରେ ସେ ସଫଳ ହୋଇଥିଲେ । କେନ୍ଦ୍ରୀୟ ଯୋଜନା ଦ୍ୱାରା ମୋଦି ବିହାରର ଅତି ଦଳିତ ଓ ଗରିବଙ୍କ ମଧ୍ୟରେ ନିଜ ପାଇଁ ସ୍ଥାନ ବନେଇବାରେ ସଫଳ ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ମୋଦି ଡଙ୍ଗାରେ ନୀତୀଶ ନିର୍ବାଚନ ବୈତରଣୀ ପାର ହୋଇଛନ୍ତି ।