Odia News Portal

ଜୋମାଟୋ ଡେଲିଭରୀ କରୁଥିବା ମେଘନା ଲଢ଼ିବେ ନିର୍ବାଚନ : କଂଗ୍ରେସ ଦେଲା ସୁଯୋଗ

ମାଙ୍ଗାଲୁରୁ : କର୍ଣ୍ଣାଟକରେ ଜୋମାଟୋ ପାଇଁ ଫୁଡ୍ ଡେଲିଭରୀ କାମ କରୁଥିବା ଜଣେ ମହିଳା ଏବେ ନିର୍ବାଚନୀ ମୈଦାନକୁ ଓହ୍ଳାଇଛନ୍ତି। ମାନ୍ନାଗୁଡ୍ଡା ୱାର୍ଡରେ ହେବାକୁ ଥିବା ମାଙ୍ଗାଲୁରୁ ସିଟି କର୍ପୋରେସନ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଜୋମାଟୋ ଗାର୍ଲ ମେଘନା ଦାସ।

ମେଘନାଙ୍କୁ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯିବା ସହ ଟିକେଟ୍‌ ମଧ୍ୟ ଦିଆଯାଇଛି। କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ମେଘନା କହିଛନ୍ତି କି, ସେ ମାନ୍ନାଗୁଡ୍ଡା ୱାର୍ଡରୁ ନିର୍ବାଚନ ଲଢ଼ିବେ। ଏଥିପାଇଁ ସେ ଅକ୍ଟୋବର ୩୧ ତାରିଖରେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିସାରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି, ତାଙ୍କୁ ବିଶ୍ବାସ ନଥିଲା କି ନିର୍ବାଚନ ଲଢ଼ିବା ତାଙ୍କୁ କେବେ ଟକେଟ ମିଳିବ ବୋଲି। କିନ୍ତୁ ଭଗବାନଙ୍କ ଉପରେ ତାଙ୍କର ପୂରା ବିଶ୍ବାସ ରହିଛି ବୋଲି ସେ କହିଛନ୍ତି। ତାଙ୍କ କହିବାନୁସାରେ ଫୁଡ୍ ଡେଲିଭରୀ ପାଇଁ ସେ ଖୁବ୍ ସଂଘର୍ଷ କରିଥାନ୍ତି।

ଏମିତିରେ ତାଙ୍କୁ ଲୋକଙ୍କ ସମସ୍ୟା ବେଶ୍ ଭଲ ଭାବେ ଜଣା। ବିଶେଷକରି ମହିଳାଙ୍କ ସୁରକ୍ଷା, ସଡ଼କ ଓ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ କାମ କରିବେ ବୋଲି କହିଛନ୍ତି। ଏଥିପାଇଁ ମେଘନା ନିଜ ଓ୍ବାର୍ଡରେ ଘର ଘର ବୁଲି ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି। ତାଙ୍କୁ ପୁରା ଭରସା ଅଛି କି ନିର୍ବାଚନରେ ତାଙ୍କର ବିଜୟ ହେବ ବୋଲି।