Odia News Portal

ଚେନ୍ନାଇ ବିପକ୍ଷରେ ମୁମ୍ବାଇ ୩୭ ରନ୍‌ରେ ବିଜୟୀ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୧୫ତମ ମ୍ୟାଚ୍‌ରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍‌ ପ୍ରଥମ ବିଜୟ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୭୧ ରନ୍‌ ଟାର୍ଗେଟ ନେଇ ଖେଳିଥିବା ଚେନ୍ନାଇକୁ ମୁମ୍ବାଇ ୩୭ ରନ୍‌ରେ ପରାସ୍ତ କରିଛି। ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୩୩ ରନ୍‌ ସଂଗ୍ରହ କରିଛି। ଚେନ୍ନାଇ ମାତ୍ର ଏକ ରନ୍‌ରେ ଅମ୍ବାତି ରାୟଡୁଙ୍କୁ ପ୍ରଥମ ଓଭରର ୪ର୍ଥ ବଲରେ ହରାଇଥିଲା। ଏହା ପରେ ଦ୍ୱିତୀୟ ଓଭରର ଦ୍ୱିତୀୟ ବଲ୍‌ରେ ସେନ୍‌ ଓ୍ଵାଟସନ୍‌ ଆଉଟ୍‌ ହୋଇଥିଲେ। ଏହି ସମୟରେ ଚେନ୍ନାଇର ସ୍କୋର ୬ ରନ୍‌ ଥିଲା।

ସ୍କୋର ୩୩ ରନ୍‌ରେ ମୁମ୍ବାଇର ଶିକାର ହୋଇଥିଲେ ସୁରେଶ ରାଇନା (୧୬ ରନ୍‌, ୧୫ ବଲ, ୨ ଚୌକା ଓ ୧ ଛକା)। ୪ର୍ଥ ଓ୍ଵିକେଟରେ କେଦାର ଯାଦବ (୫୮ ରନ, ୫୪ ବଲ, ୮ ଚୌକା ଓ ୧ ଛକା) ଏବଂ ମହେନ୍ଦ୍ର ସିଂହ ଧୋନି (୧୨ ରନ, ୨୧ ବଲ) ଦଳ ପାଇଁ ଆଶାର ସଂଚାର କରିଥିଲେ। ଉଭୟ ଖେଳାଳି ସ୍କୋରକୁ ୮୭ ରନରେ ପହଂଚାଇ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ଆଉଟ ହୋଇ ପାଭଲିଅନ ଫେରିବା ପରେ ଚେନ୍ନାଇର ବିଜୟ ଆଶା ଏକ ପ୍ରକାର ମଉଳି ଯାଇଥିଲା। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ମଧ୍ୟ ମାତ୍ର ୧ ରନ କରି ପାଭଳିଅନ ଫେରିଥିଲେ। ସ୍କୋର ୧୧୫ ରନ୍‌ରେ ବ୍ରାଭୋ ଆଉଟ୍‌ ହୋଇଥିଲେ। ପ୍ରଥମ ଇନିଂସରେ ସୂର୍ଯ୍ୟ କୁମାର ଯାଦବ (୫୯ ରନ୍‌, ୪୩ ବଲ, ୮ ଚୌକା ଓ ୧ ଛକା) ଓ କ୍ରୁଣାଲ ପାଣ୍ଡ୍ୟା (୪୨ ରନ, ୩୨ ବଲ, ୫ ଚୌକା ଓ ୧ ଛକା)ଙ୍କ ଭଲ ବ୍ୟାଟିଂ ଯୋଗୁଁ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୭୦ ରନ୍‌ ସଂଗ୍ରହ କରିଥିଲା। ଫଳରେ ମୁମ୍ବାଇ ଠାରୁ ୧୭୧ ରନ୍‌ ଟାର୍ଗେଟ ପାଇଥିଲା। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା (୨୫ ରନ୍‌) ଓ କିରଣ ପୋଲାର୍ଡ (୧୭ ରନ୍‌) ଅପରାଜିତ ପାଭଲିଅନ୍‌ ଫେରିଥିଲେ। ସ୍କୋର ୮ ରନ୍‌ରେ ମୁମ୍ବାଇ ପ୍ରଥମ ଓ୍ଵିକେଟ ଭାବରେ କ୍ୱିଣ୍ଟନ ଡି-କକ୍‌ଙ୍କୁ ହରାଇ ଥିଲା। ଡି କକ୍‌ ଦିପକ ଚହରଙ୍କ ବଲରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଏହା ପରେ ରୋହିତ ଶର୍ମା ଓ ଯୁବରାଜ ସିଂହ ମଧ୍ୟ ବେଶି ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରି ନଥିଲେ। ଦଳ ୫୦ ରନ୍‌ ବେଳକୁ ୮.୩ ଓଭରରେ ୩ ଓ୍ଵିକେଟ ହରାଇ ସାରିଥିଲା।