Odia News Portal

ମୁମ୍ବାଇ ୪୦ ରନରେ ହାଇଦ୍ରାବାଦ ବିପକ୍ଷରେ ବିଜୟୀ

ହାଇଦ୍ରାବାଦ : ୱେଷ୍ଟଇଣ୍ଡିଜର କିରଣ ପୋଲାର୍ଡ ଏବଂ ଯୁବ ଖେଳାଳି ଅଲଜାରୀ ଜୋସେଫ ଶନିବାର ମୁମ୍ବାଇ ଇଣ୍ଡିଆନସକୁ ବିଜୟ ଦେଇଛନ୍ତି । ଉଭୟ ଖେଳାଳି ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ମ୍ୟାଚରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ବିପର୍ଯ୍ୟର ଶିକାର ହେଉଥିବା ବେଳେ ଉଭୟ ଖେଳାଳି ନିଜର ଦମଦାର ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦକୁ ୪୦ ରନରେ ପରାସ୍ତ କରିଛି ।

ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନର ଯେତେବେଳେ ୯୭ ରନରେ ୭ଟି ୱିକେଟ ହରାଇ ସାରିବା ପରେ କିରଣ ପୋଲାର୍ଡ ୨୬ଟି ବଲ ଖେଳି ୩୬ ରନ କରିଥିଲେ । ସେହିପରି ଅଲଜାରୀ ଜୋସେଫ ଆଇପିଏଲରେ ପ୍ରଥମ ଥର ପାଇଁ ଖେଳି ସର୍ବଶ୍ରେଷ୍ଠ ବୋଲିଂ କରି ହାଇଦ୍ରାବାଦର ୬ ୱିକେଟ ନେଇଥିଲେ ।

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା । ସ୍କୋର ୨୧ ରନରେ ମୁମ୍ବାଇକୁ ପ୍ରଥମ ଝଟକା ଲାଗିଥିଲା । ସ୍କୋର ୬୫ ବେଳକୁ ୫ଟି ୱିକେଟ ହରାଇ ସାରିଥିଲା । କିରଣ ପୋଲାର୍ଡ ବିସ୍ଫୋରକ ବ୍ୟାଟି କରିଥିଲେ । ସେ ୧୨ଟି ବଲରୁ ୩୯ ରନ ଯୋଡ଼ିଥିଲେ । ମୁମ୍ବାଇ ୭ ୱିକେଟ ହରାଇ ୧୩୬ ରନ କରିଥିଲା । ଫଳରେ ହାରିଯିବ ବୋଲି ଦର୍ଶକ ଓ ପ୍ରଶଂସକଙ୍କ ଚିନ୍ତା ହେଉଥିଲା ।

ହାଇଦ୍ରାବାଦକୁ ଏହି ମ୍ୟାଚ ବିଜୟ ପାଇଁ ୧୩୭ ରନ ଦରକାର ଥିଲା । ଏହି ମ୍ୟାଚ ଯେକୌଣସି ସମୟରେ ଜିତିଯିବ ବୋଲି ଅନୁମାନ କରାଯାଉଥିଲା । ଡାଭିଡ ୱାର୍ଣ୍ଣର ଏବଂ ଜନି ବେୟାରଷ୍ଟୋଙ୍କ ଯୋଡ଼ି ପ୍ରଥମ ୱିକେଟ ପାଇଁ ୩୩ ରନ କରିଥିଲେ । ମାତ୍ର ପ୍ରଥମ ୱକେଟ ପରେ ହାଇଦ୍ରାବାଦ ଲକ୍ଷ୍ୟ ଭ୍ରଷ୍ଟ ହୋଇ ଖେଳିଥିଲା । ଦଳ ୧୭.୪ ଓଭରରେ ୯୬ ରନରେ ଅଲଆଉଟ ହୋଇ ଯାଇଥିଲା । ଏହା ମୁମ୍ବାଇର ୩ୟ ବିଜୟ ଥିଲା ।