Odia News Portal

ଇଣ୍ଡିଆନ ପ୍ରିମିୟର ଲିଗ : ଶେଷ ବଲରେ ଜିତିଲା ମୁମ୍ବାଇ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)ର ଦ୍ୱାଦଶ ସଂସ୍କରଣର ୨୪ତମ ମ୍ୟାଚ ରୋମାଂଚକର ହୋଇଛି । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କିଙ୍ଗସ ଏକାଦଶ ପଂଜାବ ଓ ମୁମ୍ବାଇ ଇଣ୍ଡିଆନସ ମଧ୍ୟରେ ବୁଧବାର ଖେଳାଯାଇଛି । ସ୍ଥାୟୀ ଅଧିନାୟକ ରୋହିତ ଶର୍ମା ବିଶ୍ରାମ ନେବା ପରେ କିରଣ ପୋଲାର୍ଡଙ୍କ ନେତୃତ୍ୱରେ ମୁମ୍ବାଇ ଶେଷ ବଲରେ ୨ ରନ ହାସଲ କରି ପଂଜାବକୁ ପରାସ୍ତ କରିଛି । ଦ୍ୱିତୀୟ ଇନିଂସରେ ମୁମ୍ବାଇ ୧୯୮ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା । ଦଳର ଆଗଧାଡ଼ିର ଖେଳାଳିମାନେ ବେଶୀ ସମୟ ଧରି କ୍ରିଜରେ ରହିପାରି ନଥିବା ବେଳେ ମଧ୍ୟ କ୍ରମରେ ଆସି ପୋଲାର୍ଡ ଆଶା ସଂଚାର କରିଥିଲେ । ଦଳକୁ ବିଜୟର ଦ୍ୱାର ଦେଶରେ ପହଂଚାଇ ପୋଲାର୍ଡ ଆଉଟ ହୋଇ ଯାଇଥିଲେ । ଏହା ପରେ ପରବର୍ତ୍ତୀ ସମୟର ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଡୁଆ ବଢ଼ି ଯାଇଥିଲା । ଶେଷ ଓଭରରେ ଅଲଜାରି ଯୋଶେଫ ଓ ରାହୁଲ ଚହର ୪ଟି ବଲ ଖେଳି ୪ ରନ ହାସଲ କରିବା ସହିତ ଦଳକୁ ବିଜୟ ଦେଇଥିଲେ ।

ମୁମ୍ବାଇ ୧୫.୪ ଓଭର ବେଳକୁ ୬ଟି ୱିକେଟ ହରାଇ ସାରିଥିଲା । ଦଳର ସ୍କୋର ୨୮ ରନରେ ସିଦ୍ଦେଶ ଲାଡ, ୫୬ ରନରେ ସୂର୍ଯ୍ୟକୁମାର ଯାଦବ, ୬୨ ରନରେ କ୍ୱିଣ୍ଟନ ଡି କକ, ୯୪ ରନରେ ଈଶାନ କିଷାନ, ୧୩୫ ରନରେ ହାର୍ଦ୍ଦିକ ପାଣ୍ଡ୍ୟା, ୧୪୦ ରନରେ କୃଣାଲ ପାଣ୍ଡ୍ୟାଙ୍କୁ ହରାଇଥିଲା । କିରଣ ପୋଲାର୍ଡ ୩୧ଟି ବଲ ଖେଳି ୮୩ ରନ ଯୋଡ଼ିଥିଲେ । ଏଥିରେ ୩ଟି ଚୌକା ଓ ୧୦ ଛକା ସାମିଲ ଥିଲା । ଡିକକ ୨୪ରନ, ସିଦ୍ଦେଶ ୧୫ ରନ, ସୂର୍ଯ୍ୟକୁମାର ୨୧ ରନ, ହାଦ୍ଦିକ ପାଣ୍ଡ୍ୟା ୧୯ ରନ ଓ ଯୋଶେଫ ଅପରାଜିତ ୧୫ ରନ କରିଥିଲେ ।

ଟସ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରିଥିଲା । ଟିମ ଲୋକେଶ ରାହୁଲ (୧୦୦ ରନ, ୬୪ ବଲ, ୬ ଚୌକା, ୬ ଛକା) ଙ୍କ ଶତକ ଓ କ୍ରିସ ଗେଲ (୬୩ ରନ, ୩୬ ବଲ, ୩ ଚୌକା ଓ ୭ ଛକା)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱକେଟ ହରାଇ ୧୯୭ ରନ କରିଥିଲା । ଫଳରେ ମୁମ୍ବାଇକୁ ୧୯୮ ରନ ଟାର୍ଗେଟ ମିଳିଥିଲା । ପଂଜାବ ଟିମର ମହମ୍ମଦ ସାମି ୩ଟି ୱିକେଟ ନେଇଥିଲେ । ଅଙ୍କିତ ରାଜପୁତ, ରବିଚନ୍ଦ୍ରନ ଅଶ୍ୱିନ ଓ ସାମ କୁରେନ ୧-୧ ୱିକେଟ ନେଇଥିଲେ ।