ନୂଆଦିଲ୍ଲୀ() ନାସା ମଙ୍ଗଳ ଗ୍ରହର ଏକ ଫଟୋଚିତ୍ର ଜାରି କରିଛନ୍ତି। ଏହି ଫଟୋଟି ୨୦୧୧ ମସିହାର। ଲୋହିତ ଗ୍ରହକୁ ପ୍ରଦିକ୍ଷଣ କରୁଥିବା ଅର୍ବିଟରର ରବୋଟିକ୍ ଇନଷ୍ଟ୍ରୁମେଣ୍ଟ ଦ୍ୱାରା ଏହି ଫଟୋଟି ଉତ୍ତୋଳିତ ହୋଇଛି। ଯେଉଁଥିରେ ଗ୍ରହରେ ଏକ ରହସ୍ୟମୟ ଗର୍ତ୍ତ ଦେଖାଯାଉଛି। ଯାହା ଭିତରେ ଗୁମ୍ଫା ଥିବାର ଅନୁମାନ କରାଯାଉଥିବା ବେଳେ ଏଥିରୁ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ମିଳିପାରେ ବୋଲି ଆଶଙ୍କା କରାଯାଉଛି।
ଏହା ପୂର୍ବରୁ ମାର୍ଚ୍ଚ ୧ ତାରିଖରେ ନାସା ଏକ ବ୍ଲଗରରେ ମଙ୍ଗଳ ମିସନ ସମ୍ପର୍କିତ ରିପୋର୍ଟ ପ୍ରକାଶ କରିଥିଲେ। ଯେଉଁଥିରେ ସୌର ପରିବାରର ଚତୁର୍ଥ ଗ୍ରହ ମଙ୍ଗଳର ବାତାବରଣ ନେଇ ଅନେକ ସୂଚନା ରହିଛି। ମରୁଭୂମି ଭଳି ପରିବେଶ ଥିବା ଏହି ଗ୍ରହରେ ବାତାବରଣ ଅତ୍ୟନ୍ତ ସୁକ୍ଷ୍ମ ବୋଲି ଦର୍ଶାଯାଇଛି। ଏଥିରେ ଗ୍ରହରେ ଥିବା ଗର୍ତ୍ତର ଯେଉଁ ଫଟୋଟି ରହିଛି ତାର ମୁହଁ ପାଖାପାଖି ୩୫ ମିଟର ଖୋଲା ଥିବା ବେଳେ ତଳକୁ ୨୦ ମିଟର ଗର୍ତ୍ତ ଥାଇପାରେ ବୋଲି ଆକଳନ କରାଯାଉଛି । ଏଥିରେ ଅନେକ ଗୁମ୍ଫାବି ଥାଇପାରେ ବୋଲି ବ୍ଲଗର ଆକଳନ କରିଛନ୍ତି।
