ଭୁବନେଶ୍ବର () ଗତ ଡିସେମ୍ବର 24 ତାରିଖରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନଥିବା ନେଇ କରିଥିବା ଆକ୍ଷେପର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ 2014 ଏପ୍ରିଲ ମାସରୁ 2018 ନଭେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ସୃଷ୍ଟି କରାଯାଇଥିବା ଜଳସେଚନ ବ୍ୟବସ୍ଥା ସଂପର୍କରେ ତଥ୍ୟ ସମ୍ବଳିତ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ।
ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର 10 ଲକ୍ଷ ହେକ୍ଟର ଅଧିକ ଜଳସେଚନ ସୁବିଧା ସୃଷ୍ଟି କରିବେ ବୋଲି ପ୍ରତିଶୃତି ଦେଇ 4 ବର୍ଷରେ ମାତ୍ର 22ହଜାର ହେକ୍ଟର ଜମିକୁ ଜଳସେଚିତ କରିଛନ୍ତି । ଏହାର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେରେ କହିଛନ୍ତି ଯେ, ଜଳସେଚନ କୃଷି ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଯେଉଁଥିପାଇଁ ରାଜ୍ୟ ସରକାର 2014ରେ ଅଧିକ 10 ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । 2014ରେ କ୍ଷମତାକୁ ଆସିବା ପରଠାରୁ ରାଜ୍ୟ ସରକାର ଅତିରିକ୍ତ 7.8 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇଦେଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା 10 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
2014ରୁ ବର୍ତ୍ତମାନ ସୁଦ୍ଧା 26,889 କୋଟି ଟଙ୍କା ଜଳସେଚନ ଓ ଜଳସଂପଦ ବାବଦରେ ଖର୍ଚ୍ଚ କରାଯାଇଛି । ସେମଧ୍ୟରୁ କେନ୍ଦ୍ର ସରକାର ମାତ୍ର 1211 କୋଟି ଅର୍ଥା 4.5 ପ୍ରତିଶତ ଅର୍ଥ ଏଆଇବିପି ଜରିଆରେ ସହାୟତା ଦେଇଛନ୍ତି । ଚଳିତ ବର୍ଷ ରେକର୍ଡ ପରିମାଣର 10,196 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟ ସରକାର ନିଜସ୍ବ ଯୋଜନାରେ 2ଲକ୍ଷ 67ହଜାର 880 ହେକ୍ଟର ଆୟକଟ ଏରିଆ ପାଇଁ 46ଟି ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି । ସେହିଭଳି 1ଲକ୍ଷ 29ହଜାର 764 ହେକ୍ଟର ଆୟକଟ ଏୟାର ପାଇଁ 6837ଟି ଉଠା ଜଳସେଚନ ପ୍ରକଳ୍ପ, 97,694 ଆୟକଟ ଏରିଆ ପାଇଁ 8335ଟି ଚେକ ଡ୍ୟାମ ନିର୍ମାଣ କରାଯାଇଛି । ଚାଷୀମାନେ ଏହିସବୁ ଜଳସେଚନ ପ୍ରକଳ୍ପର ସୁଫଳ ମଧ୍ୟ ପାଉଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ତଥ୍ୟ ଅନୁଯାୟୀ କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, ଚେକ ଡ୍ୟାମ ଏବଂ ଅନ୍ୟାନ ସୂତ୍ରରୁ 2014-15ରେ 1,32,753 ହେକ୍ଟର ଜମିକୁ ଜଳସେଚିତ କରାଯାଇଥିବା ବେଳେ 2015-16ରେ 1,61,344 ହେକ୍ଟର, 2016-17ରେ 1,68,971 ହେକ୍ଟର, 2017-18ରେ 2,43,663 ହେକ୍ଟର, 2018-19 ନଭେମ୍ବର ମାସ ସୁଦ୍ଧା 80ହଜାର 206 ହେକ୍ଟର ଜମି ଏହିପରି ଗତ 5 ବର୍ଷରେ 7ଲକ୍ଷ 86ହଜାର 937 ହେକ୍ଟର ଜମିକୁ ଜଳସେଚିତ କରାଯାଇଛି ।