Odia News Portal

ପୁଣି ନୟାଗଡ଼ରୁ ଆସିଲା ଶିଶୁ ନିଖୋଜ ମାମଲା

ନୟାଗଡ଼: ପୁଣି ଚର୍ଚ୍ଚାରେ ନୟାଗଡ଼ । ପୁଣି ଜଣେ ଶିଶୁ ନିଖୋଜ ହୋଇଥିବା ଖବର ଆସିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଧୁଣ୍ଡୁଗାଡ଼ିଆ ଗାଁରୁ ଆସିଛି ଏଭଳି ଖବର । ନିଖୋଜ ନାବାଳିକାଙ୍କ ନାମ ବେବି ବୋଲି ଜଣାପଡ଼ିଛି । ଜଣେ ୭ ବର୍ଷର ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଶିଶୁ ନିଖୋଜ ହୋଇଯାଇଛନ୍ତି । ଏନେଇ ନାବାଳିକାଙ୍କ ବାପା ମା ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ସେପଟେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଜିଲ୍ଲାରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଥାଉକି, ନୟାଗଡ଼ର କୁନି ଝିଅ ପରୀ ନିଖୋଜ ଘଟଣା ସାରା ରାଜ୍ୟରେ ଆଲେଡ଼ନ ସୃଷ୍ଟି କରିଥିଲା । ଏମିତିକି ଏହା ରାଜନୈତିକ ମହଲରେ ମଧ୍ୟ ହଟ୍ଟଚମଟ ସୃଷ୍ଟି ହୋଇଥିଲା । ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଅରୁଣଙ୍କ ପର୍ଯ୍ୟନ୍ତ ସମସ୍ତେ ରହିଥିଲେ ଚର୍ଚ୍ଚାରେ । ଯଦିଓ ଏହି ଘଟଣାରେ ସରୋଜକୁ ଗିରଫ କରାଯାଇଛି ତେବେ ଏବେ ବି ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ସେପଟେ ରଣପୁର ବଧିପାଟଣାର ଶିଶୁ ସ୍ୱାତୀ ମଧ୍ୟ ନିଖୋଜ ହେବ ଘଟଣା ମଧ୍ୟ ଲୋକଲୋଚନକୁ ଆସିଥିଲା । ଏବେ ପୁଣି ଜଣେ ନାବାଳିକା ନିଖୋଜ ହେବା ଘଟଣା ପରେ ଅନେକ କଥା ଚର୍ଚ୍ଚାର ପରିସର ଭିତରକୁ ଆସୁଛି ।