Odia News Portal

ଭାରତ ଫେରିବେ ନିରବ୍ ମୋଦି

ବହୁ ଦିନ ଧରି ଲୁଚକାଳି ଖେଳ ଏବଂ କଳ୍ପନାଜଳ୍ପନା ପରେ ଲଣ୍ଡନରେ ଗିରଫ ହୋଇ ଜେଲ୍ରେ ଥିବା କୁଖ୍ୟାତ ହୀରା ବ୍ୟବସାୟୀ ନିରବ୍ ମୋଦିଙ୍କୁ ଭାରତ ଆଣିବାକୁ ଆରମ୍ଭ ହୋଇଛି କସରତ୍। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ମିଳିତ ଭାବରେ ତାଙ୍କୁ ଏବଂ ତାଙ୍କ ସହଯୋଗୀ ମାମୁ ମେହୁଲ ଚୋକ୍ସିଙ୍କୁ ପ୍ରତ୍ୟର୍ପଣ କରିବା ପ୍ରୟାସରେ ଲାଗିଛନ୍ତି। ଏହି ଦୁଇ ଜଣ ୧୩୫୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତି ମାମଲାର ଅଭିଯୁକ୍ତ।

ବୁଧବାର ଲଣ୍ଡନରେ ଗିରଫ ହୋଇଥିବା ନିରବଙ୍କ ବିରୋଧରେ ପ୍ରତ୍ୟର୍ପଣ କରିବାକୁ ସେହିଦିନ ହିଁ ପ୍ରୟାସ ଆରମ୍ଭ ହୋଇସାରିଛି। ସେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ସେ ସମ୍ପୃକ୍ତ ଥିବା ଦୁର୍ନୀତିର ପରିମାଣ ଏଥିପାଇଁ ଅଡ଼ୁଆ ହୋଇଥିଲା। ଏପରିକି ଏକ ଭାରତୀୟ ଟିମ୍ ଆବଶ୍ୟକୀୟ କାଗଜପତ୍ର ସହିତ ସେଠାରେ ଉପସ୍ଥିତ ଅଛି। ଆବଶ୍ୟକତା ସ୍ଥଳେ ଏକ ଇଡି ଟିମ୍ ମଧ୍ୟ ସେଠାରେ ପହଞ୍ଚିବାର ଯୋଜନା ରହିଛି। ସେହିଭଳି ବର୍ତ୍ତମାନ ଆଣ୍ଟିଗୁଆରେ ଥିବା ମେହୁଲଙ୍କ ପ୍ରତ୍ୟର୍ପଣ ପାଇଁ ମଧ୍ୟ ସମାନ୍ତରାଳ ଭାବେ ପ୍ରୟାସ ଚାଲିଛି।