ପୁରୀ : ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ଏନଏସଜି ଟିମ୍ । ପୋଲିସ ସହାୟତାରେ ଏନଏସଜିର ୩ ଜଣିଆ ଟିମ୍ ପୁରୀ ଶ୍ରୀମନ୍ଦିର ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।
ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଭବନ, କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜଭବନ କାର୍ଯ୍ୟାଳୟ, ରାଜ୍ୟ ପ୍ରଶାସନିକ ଅଧିକାରୀ ଜୋରସୋର ଉଦ୍ୟମ ଆରମ୍ଭ କରିଛନ୍ତି ।
ବିଶେଷ କରି କୋରୋନା କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କୋଣାର୍କ ପରିଦର୍ଶନ କରିବେ ରାଷ୍ଟ୍ରପତି ।
୨୧ ତାରିଖରେ ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ କୋଣାର୍କ ଏବଂ ରାଉରକେଲା ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି ।