Odia News Portal

ଥଳକୂଳ ପାଉନାହାନ୍ତି କଂଗ୍ରେସ ନେତା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ନେତାମାନେ ଏବେ ଥଳ କୂଳ ପାଉନାହାନ୍ତି । ଦାୟିତ୍ୱସମ୍ପୂର୍ଣ୍ଣ ବିରୋଧିଦଳ ହିସାବରେ
ସରକାରଙ୍କ ଦୋଷ ଦୁର୍ଗୁଣ ଖୋଜି ବାହାର କରିବା ସହିତ ଶାସକଦଳ ସହିତ ଲଢେଇ କରିବା ବଦଳରେ କଂଗ୍ରେସ ନେତାମାନେ ଏବେ ପରସ୍ପର ବିରୁଦ୍ଧରେ ଲଢୁଛନ୍ତି । ତେବେ ରାଜ୍ୟ କଂଗ୍ରେସ ନେତାମାନେ ନିରଞ୍ଜନ ହଟାଅ-ମୋକିମ ଲାଓ ଅଭିଯାନ ଆରମ୍ଭ କରିଥିବାବେଳେ ଏହାର ନେତୃତ୍ୱ କେହି ନେବାକୁ ରାଜି ନଥିବାରୁ ସେମାନେ ଥଳକୂଳ ପାଉନଥିବା ଦେଖବାକୁ ମିଳୁଛି ।
କିଛିଦିନ ତଳେ କିଛି କଂଗ୍ରେସ ନେତା ପାନ୍ଥ ନିବାସ ଠାରେ ଏକାଠି ହେଲେ । ବୈଠକ ବସୁ ବସୁ ଗଣମାଧ୍ୟମରେ
ପ୍ରଚାର ହେଲା ନିରଞ୍ଜନ ହଟିବେ । ତାଙ୍କ ସ୍ଥାନରେ ଦଳୀୟ ବିଧାୟକ ମହ୧ଦ ମୋକିମଙ୍କୁ ସଭାପତି କରିବାପାଇଁ ବି
ବୈଠକରେ ଯୋଗ ଦେଇଥିବା କର୍ମୀମାନେ ମତ ଦେଲେ । ପ୍ରକାଶ ପାଇଲା କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ
ବୈଠକ ବସିଥିଲା । ଏହାର ସୂଚନା ପାଇବା ମାତ୍ରେ ନିରଞ୍ଜନ ଗଣମାଧ୍ୟମ ଆଗକୁ ଆସିଲେ କହିଲେ ମୋତେ ମୁକ୍ତି ଦିଅ । କାହାକୁ ସଭାପତି କରିବ କୁହ ମୁଁ ତା ନାଁ ଦିଲ୍ଲୀ ପଠେଇବି ।
ଏହାକୁ ନେଇ ରାଜ୍ୟ କଂଗ୍ରେସରେ ହଇଚଇ ସୃଷ୍ଟି ହେଲା ।
ତେବେ ସବୁଠାରୁ ବଡ କଥା ହେଲା ଏହାକୁ ନେଇ ମୋକିମ ମୁହଁ ଖୋଲିଲେ ନାହିଁ କି ବାପି ସର୍ଖେଲ ଆଗକୁ ଆସିଲେ
ନାହିଁ । ଯେଉଁ ନେତା ବୈଠକ ପରେ ମୋକିମଙ୍କୁ ସଭାପତି କରାଯିବ ବୋଲି ଜୋରସୋରରେ ପାଟି କରୁଥିଲେ ଦୁଇ ଦିନ
ପରେ ନିରଞ୍ଜନଙ୍କୁ ଭେଟି ସିଏ କଂଗ୍ରେସର ପିତାମହ ଭୀଷ୍ମ ବୋଲି କହିଲେ । ଏହାର କିଛି ଦିନ ପରେ ଆଉ କିଛି କଂଗ୍ରେସନେତା ବି ବୈଠକ ଡାକି ନିରଞ୍ଜନଙ୍କୁ ହଟାଇବାପାଇଁ କହୁଛନ୍ତି । କିନ୍ତୁ ନିରଞ୍ଜନ ହଟାଅ କିମ୍ବା ମୋକିମଙ୍କୁ ଆଣିବାପାଇଁ କିଏ ନେତୃତ୍ୱ ନେବ ତାହା ସ୍ଥିର ହୋଇପାରୁ ନାହିଁ ।
ନିକଟ ଭବିଷ୍ୟତରେ ଓଡିଶାରେ ନିର୍ବାଚନ ହେବାକୁ ନଥିବାରୁ କଂଗ୍ରେସର ବଡନେତାମାନେ ବି ଏହି ଦୌଡରେ ସାମିଲ ହେଉନାହାନ୍ତି । ଦିଲ୍ଲୀ ଯାଇ ମୋକିମଙ୍କ ସପକ୍ଷରେ ଓକିଲାତି ପାଇଁ ଦଳେ ମତ ଦେଉଥିବାବେଳେ କିଏ କେତେବେଳେ ଯିବ ଓ
କାହାକୁ ଭେଟିବ ତାହା ସ୍ଥିର ହୋଇପାରୁ ନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦଳର ବରିଷ୍ଠ ନେତାମାନେ ଆଗକୁ
ଆସୁନଥିବାରୁ ଦ୍ୱିତୀୟ ପୀଢିର ନେତାମାନେ କୌଣସି କୂଳ କିନ୍ନାରା ପାଉନାହାନ୍ତି । ତେଣୁ ଆଗାକୁ ଡେଇଁ ନିରଞ୍ଜନଙ୍କ ରୋଷର ଶିକାର ହେବା ଅପେକ୍ଷା ଚୁପ୍‍ଚାପ୍‍ ବସିବାକୁ ଅନେକ ପସନ୍ଦ କରୁଛନ୍ତି । ଉଲ୍ଲେଖନୀୟ ଯେ ସାଧାରଣ ନିର୍ବାଚନ ପରେ ପରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀକରି ନିରଞ୍ଜନ ସଭାପତି ପଦରୁ ଇସ୍ତଫା ଦେଇଥିବାବେଳେ କଂଗ୍ରେସ ହାଇକମାଣ୍ଡ ତାହାକୁ ଗ୍ରହଣ କରିନଥିଲେ ।
କେବଳ ନିରଞ୍ଜନ ନୁହେଁ କଂଗ୍ରେସର ଦୁଇ କାର୍ଯ୍ୟକାରୀ ସଭାପତି ମଧ୍ୟ ପଦ ବଜାୟ ରଖିଛନ୍ତି । ତେବେ ଦଳର ଅନ୍ୟ ଶାଖା ଗୁଡିକୁ ଭାଙ୍ଗିଦିଆଯାଇଛି । ତେବେ ନିରଞ୍ଜନ ହଟାଅ ଓ ମୋକିମଙ୍କୁ ସଭାପତି କରିବାପାଇଁ କିଛି କଂଗ୍ରେସ ନେତା ଏକାଠି ହୋଇ ଥଳକୂଳ ପାଉନଥିବାବେଳେ କଂଗ୍ରେସର ଗୋଟିଏ ବଡ ଗୋଷ୍ଠି ଦଳ ବଳ ସହ ବିଜେଡିକୁ ଯିବାନେଇ ଚର୍ଚ୍ଚା ଚାଲିଛି । ଏଥିନେଇ ମୂଲଚାଲ ଚାଲିଥିବା ଜୋରଦାର ଆଲୋଚନା ଚାଲିଥିବାବେଳେ ସଭାପତି ପରିବର୍ତ୍ତନ ଅଭିଯାନ ଦାନା ଧରୁନଥିବା ଆଲୋଚନାକୁ ଅଧିକ ଖୋରାକ ଯୋଗାଇବାରେ ଲାଗିଛି