Odia News Portal

ସୂଚନା କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ସୂଚନା କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରା(୫୩) ଆତତାୟୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଗାଡି ଉପରକୁ ବୋମା ମାଡ଼ କରାଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଇମାମନଗର ଛକ ନିକଟରେ ଆଜି ଏକ କଳା ଓ ନାଲି ଦୁଇ ରଙ୍ଗ ଥିବା ପଲସରରେ ଆସି ଦୁଇ ଜଣ ଯୁବକ ଶ୍ରୀ ବେହୁରାଙ୍କ କାର୍‌ ଉପରକୁ ବୋମା ମାଡ଼ କରିଥିଲେ। ବୋମା ମାଡ଼ରେ ଶ୍ରୀ ବେହୁରା ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ସୁଶାନ୍ତ ବେହେରା(୩୫) ମଧ୍ୟ ଆହତ ହୋଇଛନ୍ତି। ଆହତ ଶ୍ରୀ ବେହୁରାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ରାତି ସାଢ଼ ୯ଟାରେ ଶ୍ରୀ ବେହୁରା, ତାଙ୍କ ସହଯୋଗୀ ସୁଶାନ୍ତ ବେହେରା ଓ ବଳରାମ ଦାସ ଏକ ମାରୁତି ବ୍ରିଜା କାର୍‌ ଡି-୦୪ଏନ-୦୦୪୯ ରେ ଇମାମନଗର ଠାରେ ହେଉଥିବା ଅଷ୍ଟପ୍ରହରକୁ ଯାଇଥିଲେ। ସେଠାରୁ ଫେରୁଥିବା ‌ସମୟରେ ହାଇଲେବୁଲ କେନାଲ ବନ୍ଧର ଇମାମନଗର ଛକରେ ଏକ କଳା ଓ ନାଲି ରଙ୍ଗର ପଲସର ବାଇକ୍‌ ଧରି ଛିଡ଼ା ହୋଇଥିବା ଦୁଇଜଣ ଯୁବକ ଶ୍ରୀ ବେହୁରାଙ୍କ କାର୍‌ ଉପରକୁ ଚାରୋଟି ବୋମା ଫିଙ୍ଗିଥିଲେ। ଗୋଟିଏ ବୋମା ତଳେ ପଡ଼ିଥିବା ବେଳେ ଅନ୍ୟ ୩ଟି କାର୍‌ ଉପରେ ପଡ଼ିଥିଲା। ଆଗରେ ବସିଥିବା ଶ୍ରୀ ବେହୁରା ଓ ସୁଶାନ୍ତଙ୍କ ହାତରେ ଆଘାତ ଲାଗିଥିଲା।