ଅହମ୍ମଦାବାଦ : ଘରୋଇ ମାଟିରେ ଋଷଭ ପନ୍ତଙ୍କ ପ୍ରଥମ ଟେଷ୍ଟ ଶତକ (୧୦୧) ବଳରେ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ରହିଛି ଭାରତ । ଇଂଲଣ୍ଡର ପ୍ରଥମ ଇନିଂସ 205 ରନ୍ ଜବାବରେ ଭାରତ ଆଜି ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ 7 ଓ୍ୱିକେଟ ହରାଇ 294 ରନ୍ କରିଛି । ଏଥିସହ ଭାରତ 89 ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ବେଳେ ହାତରେ 3 ଓ୍ୱିକେଟ୍ ବାକି ରହିଛି ଷ୍ଟମ୍ପ ଅପସାରଣ ବେଳକୁ ଓ୍ୱାଂଶିଟନ୍ ସୁନ୍ଦର 60 ଓ ଅକ୍ଷର ପଟେଲ୍ 11 ରନ୍ କରି ଅପରାଜିତ ରହିଥିଲେ ।
ଦ୍ୱିତୀୟ ଦିବସରେ ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର 24/1ରୁ ଖେଳ ଆରମ୍ଭ କରିଥିଲା । ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । ପୂଜାରା ପୁଣିଥରେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ପୂଜାରା ବ୍ୟକ୍ତିଗତ 17 ରନ୍ କରିଥିବା ବେଳେ ଜ୍ୟାକ୍ ଲିଚଙ୍କ ବଲରେ ଏଲବିବ୍ଲୁ୍ ହୋଇଥିଲେ । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଖାତା ଖୋଲିପାରିନଥିଲେ କୋହଲିଙ୍କୁ ବେନ୍ ଷ୍ଟୋକ୍ସ ଆଉଟ୍ କରିଥିଲେ ।

ରୋହିତଙ୍କୁ ସାଥ୍ ଦେଇଥିବା ଆଜିଙ୍କ୍ୟ ରାହାଣେ ସକାରାତ୍ମକ ବ୍ୟାଟିଂ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରିନଥିଲେ । ରାହାଣେ (27)ଙ୍କୁ ଭ୍ରମଣକାରୀ ଦଳର ଏକ ନମ୍ବର ବୋଲର ଜେମ୍ସ ଆଣ୍ଡରସନ୍ ପ୍ୟାଭିଲିୟନ୍ ପଠାଇଥିଲେ । ଏହା ପରେ ରୋହିତ ଓ ପନ୍ତ ଭାରତର ସ୍କୋରକୁ 100 ଅତିକ୍ରମ କରାଇଥିଲେ । ରୋହିତ 49 ରନରେ ବ୍ୟାଟିଂ କରୁଥିବା ବେଳେ ତାଙ୍କୁ ଷ୍ଟୋକ୍ସ ଏଲବିଡବ୍ଲ୍ଯୁ ଆଉଟ୍ କରିଥିଲେ ରୋହିତ ରିଭ୍ଯୁ ନେଇଥିଲେ ହେଁ, ଅମ୍ପାୟାରଙ୍କ ନିଷ୍ପତ୍ତି ଆଧାରରେ ସେ ଆଉଟ୍ ହୋଇଥିଲେ ।
ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରବିଚନ୍ଦ୍ରନ୍ ଅଶ୍ୱିନ୍ (13) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ 146 ରନରେ 6ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଭାରତ ସଙ୍କଟରେ ପଡ଼ିଥିଲା । କିନ୍ତୁ ଚଳିତ ବର୍ଷ ଜବରଦ ଫର୍ମରେ ଥିବା ପନ୍ତ ଓ ସୁନ୍ଦର ଇଂଲିଶ ଟିମର ବୋଲରଙ୍କୁ ଉଚିତ ସାମ୍ନା କରିଥିଲେ । ଦୁହେଁ ସପ୍ତମ ଓ୍ୱିକେଟ୍ ପାଇଁ 113 ରନର ଶତକୀୟ ଭାଗିଦାରୀ କରିବା ସହ ଭାରତକୁ ଲିଡ୍ ମଧ୍ୟ ଦେଇଥିଲେ ।
82 ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ପନ୍ତ ଶତକ ମାରିବା ପାଇଁ ଅାଉ ମାତ୍ର 33 ବଲରେ ସହାୟତା ନେଇଥିଲେ ଅର୍ଥାତ ପନ୍ତ 115 ବଲରେ ନିଜର ତୃତୀୟ ଟେଷ୍ଟ ଶତକ ହାସଲ କରିଥିଲେ । ତେବେ ଶତକ ମାରିବା ପରେ ପନ୍ତଙ୍କୁ ଆଉଟ୍ କରିଥିଲେ । ଆଣ୍ଡରସନ୍ ପନ୍ତଙ୍କ ଯିବା ପରେ ଅକ୍ଷର ପଟେଲ ମଧ୍ୟ ଗୋଟିଏ ଏଣ୍ଡ୍ ସମ୍ଭାଳିଥିଲେ । ଅକ୍ଷର ଓ ସୁନ୍ଦର 10 ଓଭର ବ୍ୟାଟିଂ କରି ଭାରତକୁ ଆଉ କ୍ଷତି ସହିବାକୁ ଦେଇନଥିଲେ । ସୁନ୍ଦର 96 ବଲରେ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ମାରିଥିଲେ । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍ 3ଟି, ବେନ୍ ଷ୍ଟୋକ୍ସ ଓ ଲିଚ୍ 2ଟି ଲେଖାଏ ଓ୍ୱିକେଟ୍ ନେଇଛନ୍ତି ।
ଭାରତ ପକ୍ଷରୁ ପନ୍ତ 101 (118 ବଲ୍, 13 ଚୌକା, 2 ଛକା) ରନର ଶତକୀୟ ଇନିଂସ୍ ଖେଳିଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ଓ୍ୱାଶିଂଟନ୍ ସୁନ୍ଦର 60 (117 ବଲ୍, 8 ଚୌକା) ଓ ଅକ୍ଷର ପଟେଲ୍ 11 ରନ୍ କରି ଅପରାଜିତ ରହିଛନ୍ତି ।