Odia News Portal

କରୋନାର ଦ୍ୱିତୀୟ ଲହରରେ କୁଆଡେ ଗଲା ପ୍ଲାଜମା ଥେରାପି ?

*ବିଶୋଧନକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ।

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଓଡିଶା ସମେତ ସମଗ୍ର ଦେଶରେ ଭୟାବଡ ସ୍ଥିତି ଉପୁଜାଇ ଥିବାବେଳେ ଏଥର ଆଉ କେହି ପ୍ଲାଜମା ଥେରାପି କଥା କହୁନାହାନ୍ତି । ଓଡିଶାରେ ପ୍ଲାଜମା ଚିକିତ୍ସା ପାଇଁ ଅନେକ ପଦକ୍ଷେପ ନିଆଯିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ମନ୍ତ୍ରୀ ଓ ନେତାମାନେ ପ୍ଲାଜମା ଦାନ କରିଥିଲେ । କେତେକ ରୋଗୀ ମଧ୍ୟ ପ୍ଲାଜମା ନେଇ ସୁସ୍ଥ ହୋଇଥିବା କୁହାଯାଇଲା ।

କରୋନାର ପ୍ରଥମ ଲହରର ମୁକାବିଲା ପ୍ଲାଜମା ଚିକିତ୍ସାକୁ ଏକ ବଡ ବିକଳ୍ପ ଭାବେ ନିଆଯାଇଥିଲା । ପ୍ଲାଜମା ଦେବାପାଇଁ ଖୋଦ ରାଜ୍ୟ ସରକାର ଅନୁରୋଧ କରିବା ସହିତ ପ୍ଲାଜମା ସଂଗ୍ରହକାରୀଙ୍କୁ ସବୁଆଡୁ ପ୍ରଶଂସା ମିଳିଥିଲା । ପରେ କିନ୍ତୁ ପ୍ଲାଜମା ଦାନରେ ରାଜନୀତି ପଶିଯାଇଥିଲା । ଫଳରେ ସାଧାରଣ ଲୋକଙ୍କ ଅପେକ୍ଷା ରାଜନେତାମାନେ ପ୍ଲାଜମା ଦାନ ପାଇଁ ଆଗେଇ ଆସିବା ସହିତ ଏହାର ସଚିତ୍ର ଖବର ଛପାଇଥିଲେ । ବିଶେଷକରି ରାଜ୍ୟରେ ଏଥିପାଇଁ ବିଜେପି ଓ ବିଜେଡି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା ।

ତେବେ ପ୍ଲାଜମା ଦାନ କ୍ଷେତ୍ରରେ ସବୁଠାରୁ ଆଗରେ ଥିଲେ ରାଜ୍ୟ ପୁଲିସ୍‌ ବାହିନୀର ଜବାନମାନେ । ଅବସ୍ଥା ଏଭଳି ହୋଇଥିଲା ଯେ ଜବାନଙ୍କ ପ୍ଲାଜମା ଦାନ ନେଇ ପ୍ରତିଦିନ ବୁଲେଟିନ୍‌ ଜାରି ହେଉଥିଲା ।କରୋନାରୁ ଆରୋଗ୍ୟ ହୋଇଥିବା ଲୋକେ ପ୍ଲାଜମା ଦାନର ନିୟମ ରହିଥିବାରୁ କରୋନା ମୁକ୍ତ ବହୁ ନେତା ଓ ସାଧାରଣ ଲୋକେ ଆଗେଇ ଆସିଥିଲେ । ଏଥିପାଇଁ ରାଜ୍ୟର ତିନି ପୁରାତନ ମେଡିକାଲ କଲେଜରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ହେଲେ କରୋନା ଥମିବାପରେ ସମସ୍ତେ ପ୍ଲାଜମା କଥା ଭୁଲିଗଲେ । ସଂଗୃହୀତ ପ୍ଲାଜମା କୁଆଡେ ଗଲା ତାହାର କେହି କିଛି ଖବର ରଖିଲେନି । କରୋନାରୁ ମୁକ୍ତ ହୋଇଥିବା ଅନେକ ବ୍ୟକ୍ତି ଆଉ ପୂର୍ବଭଳି ପ୍ଲାଜମା ଦେବାକୁ ଆଗ୍ରହ ପ୍ରକାଶ କଲେନି । ପ୍ଲାଜମା ସଂଗ୍ରହ କେନ୍ଦ୍ରରେ ଏକ  ପ୍ରଚାର ଅଚଳ ହୋଇପଡି ରହିଲା ।

ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ହେଉଥିବାବେଳେ ପ୍ଲାଜମା ଚିକିତ୍ସା କଥା ଆଉ କେହି କହୁ ନାହାନ୍ତି ।କେବଳ ପ୍ଲାଜମା ଥେରାପି ନୁହେଁ, ପ୍ରଥମ ପର୍ଯ୍ୟାୟ କରୋନା ସମୟରେ ଯେଭଳି ରାସ୍ତାଘାଟ, ସରକାରୀ ଦପ୍ତର, ଡାକ୍ତରଖାନା, ବିଭିନ୍ନ କୋଭିଡ ଆକ୍ରାନ୍ତଙ୍କ ଘର ଆଦିକୁ ସରକାର ଅଗ୍ନିଶମ ବାହିନୀ ଜରିଆରେ ଦିନରାତି ବିଶୋଧନ କରୁଥିଲେ ତାହା ଆଉ କେଉଁଠି ହେଲେ ଦେଖିବାକୁ ମିଳୁନାହିଁ । ଏହାର ପ୍ରୟୋଗ ବି ଏକ ପ୍ରକାର ବନ୍ଦ । ସେତେବେଳେ ହୋଇଥିବା ବିଶୋଧନକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ । ବିଶୋଧନୁ ଯଦି ସଫଳ ମିଳିଥିଲା ତେବେ ବର୍ତ୍ତମାନ କାହିଁକି ଏହାର ପ୍ରୟୋଗ ହେଉନାହିଁ ?