Odia News Portal

ଫଳ ପ୍ରକାଶ ପାଇଲା ଓଜେଇଇ ୨୦୧୯ ପ୍ରବେଶିକା

ଭୁବନେଶ୍ବର () ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୧୯ର ଫଳ ପ୍ରକାଶ ପାଇଛି । ସ୍ଥାନୀୟ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ସମ୍ମିଳନୀ କକ୍ଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୧୯ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରିଥିଲେ ।

ବି. ଫାର୍ମରେ ସମୀର କୁମାର ପାଢ଼ୀ, ଲ୍ୟାଟେରାଲ୍‌ ଏଣ୍ଟ୍ରି ଟୁ ବି ଟେକ୍‌ରେ ଶାଶ୍ବତୀ ମହାନ୍ତି, ଲ୍ୟାଟେରାଲ୍‌ ଏଣ୍ଟ୍ରି ଟୁ ଫାର୍ମାରେ ଅମିତ୍‌ କୋଟାଲ୍‌, ଲ୍ୟାଟେରାଲ୍‌ ଏଣ୍ଟ୍ରି ଟୁ ବିଏସସିରେ ଭବାନୀ ଶଙ୍କର ବେହେରା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏରେ ସ୍ବୀକ୍ରିତି ମହାପାତ୍ର, ଏମ୍‌ବିଏ ପାଠ୍ୟକ୍ରମରେ ପ୍ରଦୀପ କୁମାର କାମ୍ପା, ଏମ୍‌ସିଏରେ ସ୍ମିତାରାଣୀ ଚୌଧୁରୀ, ଏମ୍‌ ଟେକ୍‌ରେ ପ୍ରଦୀପ କୁମାର ବାରିକ, ଏମ୍‌ ଫାର୍ମାରେ ଅତୁର୍ମିଲା ଚକ୍ରବର୍ତ୍ତୀ, ଲ୍ୟାଟେରାଲ୍‌ ଏଣ୍ଟ୍ରି ଟୁ ଏମ୍‌ସିଏରେ ସୁମନ୍ତ ପାତ୍ର ଶ୍ରେଷ୍ଠ ସ୍ଥାନ ଅଧିକାର କରି ସୁନାମ ଅର୍ଜନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାୟକ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସ୍ନାତକ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ପାଇଁ ସମୁଦାୟ ୨୯ ହଜାର ୯୦୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକୃତ କରିଥିବାବେଳେ ୨୫ ହଜାର ୬୭୨ ଜଣ ପରୀକ୍ଷା ଦେଇଥିଲେ ଓ ୨୫ ହଜାର ୬୬୬ ଜଣଙ୍କୁ ର୍ୟାଙ୍କ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ବି. ଫାର୍ମରେ ୮୬୬୮, ଲ୍ୟାଟେରାଲ୍‌ ଫାର୍ମାରେ ୪୭୩, ଲ୍ୟାଟେରାଲ୍‌ ଟେକ୍‌ ଡିପ୍ଲୋମାରେ ୧୫୪୦୦, ଲ୍ୟାଟେରାଲ୍‌ ଟେକ୍‌(ବି.ଏସ୍‌ସି)ରେ ୨୨୮, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏରେ ୮୯୭ ଜଣ ର୍ୟାଙ୍କ ପାଇଛନ୍ତି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ କମ୍ପୁ୍ୟଟର ମାଧ୍ୟମରେ ଅନୁଷ୍ଠିତ ପୋଷ୍ଟଗ୍ରାଜୁଏଟ୍‌ ଏମ୍‌ବିଏ, ଏମ୍‌ସିଏ, ଲ୍ୟାଟେରାଲ୍‌ ଏଣ୍ଟି୍ର ଟୁ ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମା କୋର୍ସରେ ସମୁଦାୟ ୪୭,୨୫୬ ଜଣ ନାମ ରେଜିଷ୍ଟ୍ରେସନ୍‌ କରିଥିବା ବେଳେ ୩୯,୫୯୦ ଜଣ ପରୀକ୍ଷା ଦେଇଥିଲେ ଓ ୩୯,୫୭୬ ଜଣଙ୍କୁ ର୍ୟାଙ୍କ ପ୍ରଦାନ କରାଯାଇଥିଲା । ତନ୍ମଧ୍ୟରୁ ଏମ୍‌ବିଏରେ ୭୪୪୫,

ଏମ୍‌ସିଏରେ ୨୨୯୧, ଲ୍ୟାଟେରାଲ୍‌ ଏଣ୍ଟ୍ରି ଟୁ ଏମ୍‌ସିଏରେ ୧୩୮୫, ଏମ୍‌. ଟେକ୍‌ରେ ୧୯୧୯, ଏମ୍‌ ଆର୍କରେ ୧୬, ଏମ୍‌ ପ୍ଲାନ୍‌ରେ ୪୪, ଏମ୍‌. ଫାର୍ମରେ ୮୧୦ ଜଣ ର୍ୟାଙ୍କ ପାଇଛନ୍ତି । ସୂଚନାଯୋଗ୍ୟ ଯେ ଓଜେଇଇ ୨୦୧୯ ଦୁଇଟି ପର୍ଯ୍ୟାୟରେ ମଇ ମାସ ୧୮ ତାରିଖ ଏବଂ ଜୁନ୍‌ ମାସ ୮ ଓ ୯ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥର ପ୍ରଥମ ଥର ପାଇଁ ପୋଷ୍ଟଗ୍ରାଜୁଏଟ୍‌ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ହୋଇଥିଲା ।