Odia News Portal

୨୦୨୦ ଆରମ୍ଭରୁ ଖାକିରେ ଦାଗ

ଭୁବନେଶ୍ବର : ବର୍ଷ ଆରମ୍ଭରୁ ଖାକିରେ ଲାଗିଲା ଦାଗ । ପୁରୀରେ ଜଣେ ପୁଲିସ କର୍ମଚାରୀଙ୍କ ସରକାରୀ କ୍ୱାର୍ଟର୍ସରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଜଣେ ପୁଲିସ ବାବୁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଜଣେ ଏଏସ୍‌ଆଇ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଜନୈକ ମହିଳାଙ୍କୁ ବଳାତ୍କାର କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳଙ୍କ ନିକଟରେ ପୀଡ଼ିତା ଏଭଳି ସଙ୍ଗିନ୍‌ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ, ବଳଙ୍ଗା ଅଞ୍ଚଳର ଜନୈକା ମହିଳା ବଳଙ୍ଗା ଥାନାରେ ଏକ ଅଭିଯୋଗ କରିଥିଲେ । ମହିଳାଙ୍କ ସପକ୍ଷରେ ନ୍ୟାୟ ପ୍ରଦାନ କରିବାର ଲୋଭ ଦେଖାଇ ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଞ୍ଜନ ଦାସ ମହିଳାଙ୍କୁ ତାଙ୍କ ସରକାରୀ କ୍ୱାର୍ଟର୍ସକୁ ଡାକିଥିଲେ । ଉକ୍ତ କ୍ୱାର୍ଟର୍ସରେ ମହିଳା ଜଣକ ପହଞ୍ଚିବା ପରେ ଏଏସ୍‌ଆଇ ଶ୍ରୀ ଦାସ ତାଙ୍କୁ ବଳାତ୍କାର କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଦୁଷ୍କର୍ମ ସମ୍ପର୍କରେ କାହାକୁ କହିଲେ ମିଥ୍ୟା କେସରେ ଫସାଇ ଜେଲ ପଠାଇ ଦେବାକୁ ଏଏସ୍‌ଆଇ ପୀଡ଼ିତାଙ୍କୁ ଧମକ ଦେଇଥିଲେ । ତେବେ ଘଟଣା କେତେ ତାରିଖରେ ଘଟିଥିଲା ଅଭିଯୋଗପତ୍ରରେ ଦର୍ଶା ଯାଇ ନାହିଁ । ଉକ୍ତ ମହିଳାଙ୍କୁ ପଚାରିଲେ ସେ ନିର୍ଦ୍ଦିଷ୍ଟ ତାରିଖ କହି ପାରୁ ନଥିବା ବେଳେ ଘଟଣାଟି ୩ମାସ ତଳେ ଘଟିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ।

ଏଠାରେ ସୂଚନା ଥାଉ କି ମହିଳାଙ୍କ ଶ୍ୱଶୁର ତାଙ୍କ ସ୍ୱାମୀଙ୍କ ଅଟୋ ପୋଡ଼ି ଦେଇଥିଲେ । ଶ୍ୱଶୁରଙ୍କ ନାମରେ ମହିଳା ଜଣକ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ । ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ ମହିଳାଙ୍କ ଅଭିଯୋଗକୁ ଗ୍ରହଣ କରିଥିବା ବେଳେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସଂପୃକ୍ତ ଏଏସ୍‌ଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।