Odia News Portal

ସମୁଦ୍ରରୁ ବିରଳ ସାର୍କ ମାଛ ଶିକାର

ପୁରୀ : ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି କରୁଛନ୍ତି । ସାଧାରଣ ମତ୍ସ୍ୟଜୀବୀମାନେ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍‌ ଟଙ୍କାରେ କିଣି ମାଲାମାଲ୍‌ ହେଉଛନ୍ତି ବ୍ୟବସାୟୀ। ସୋମବାର ପୁରୀ ସମୁଦ୍ରରୁ ଏକ ବିରଳ ପ୍ରଜାତିର ସାର୍କ ମାଛ ଧରାପଡ଼ିବା ଏବଂ ଏହାକୁ ତରବରିଆ ଭାବେ ଜଣେ ବ୍ୟବସାୟୀ କିଣିନେବା ଘଟଣା ଏହାକୁ ସ୍ପଷ୍ଟ କରୁଛି। ପ୍ରତ୍ୟେକ ଦିନ ଏହିଭଳି ମାଛ ସୂତି ଓ ଜାଲରେ ପଡୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି।

ସହକାରୀ ମତ୍ସ୍ୟ ଅଧିକାରୀ ଦୀକ୍ଷା ଖାଡ଼ଙ୍ଗା କହିଛନ୍ତି, ଏହି ପ୍ରଜାତିର ସାର୍କ ମାଛ ପୁରୀ ଉପକୂଳରେ ଦେଖାଯାଉଛନ୍ତି। ଅବାଧରେ ଏହି ସାର୍କ ଶିକାର କରାଯାଉଥିବା ନେଇ କୌଣସି ସୂଚନା ନାହିଁ। ତଥାପି ଯଦି କେହି ଏମିତି ଶିକାର କରି ବାହାରକୁ ଚାଲାଣ କରୁଥାନ୍ତି ଏ ଦିଗରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଥାଉ କି, ଆନ୍ତର୍ଜାତିକ ସ୍ତରରେ ଏହି ପ୍ରଜାତିର ମାଛ ମାରିବା ଉପରେ କଟକଣା ରହିଛି। ଗତବର୍ଷ ଜାନୁୟାରୀ ମାସରେ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆନ୍ଧ୍ରପ୍ରଦେଶର ଏକ ଟ୍ରଲରରୁ ୧୭୫ଟି ବିରଳ ପ୍ରଜାତିର ସାର୍କ ମାଛ ଜବତ କରାଯାଇଥିଲା। ଏହି ଘଟଣାରେ ୭ ମତ୍ସ୍ୟଜୀବୀଙ୍କୁ ଜେଲ୍‌ ଯିବାକୁ ପଡିଥିଲା।

ପେଣ୍ଠକଟା ଅଞ୍ଚଳର ମତ୍ସ୍ୟଜୀବୀମାନେ ପ୍ରତ୍ୟହ ଡଙ୍ଗା ନେଇ ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି। ହଜାର ହଜାର ସଂଖ୍ୟାରେ ମତ୍ସ୍ୟଜୀବୀ ସମୁଦ୍ରରୁ ମାଛ ମାରି ସେମାନଙ୍କ ପରିବାର ଚଳାଇଥାନ୍ତି। ସମୁଦ୍ର ଭିତରେ ଜାଲ ପକାଇ ମାଛ ଧରିବା ସହ ସୂତି ମଧ୍ୟ ପକାଇଥାନ୍ତି। ତେବେ ବେଳେବେଳେ ଜାଲରେ ବିରଳ ପ୍ରଜାତିର ମାଛ ପଡ଼ନ୍ତି। କିନ୍ତୁ ଅନେକ ମାଛକୁ ମତ୍ସ୍ୟଜୀବୀମାନେ ଚିହ୍ନି ପାରୁ ନ ଥିବାବେଳେ ଏହାକୁ ସାଧାରଣ ମାଛ ଦାମ୍‌ରେ ବିକ୍ରି କରିଥାନ୍ତି। ଫଳରେ ମତ୍ସ୍ୟ ବ୍ୟବସାୟୀମାନେ ଏହାକୁ ବାହାରକୁ ରପ୍ତାନି କରି ମୋଟା ଅଙ୍କର ଲାଭବାନ ହେଉଛନ୍ତି। ସେହିପରି ସୂତିରେ ବି ବଡ଼ ବଡ଼ ବିରଳ ମାଛ ଧରିଥାନ୍ତି। ସୋମବାର ସୂତିରେ ଏକ ବିରଳ ପ୍ରଜାତିର ସାର୍କ ମାଛ ପଡିଥିଲା। ସୂତି କଣ୍ଟା ସେମିତି ଲାଗି ରହିଥିବାବେଳେ ଏହାର ପେଟ ଚିରି ହୋଇଯାଇଥିଲା। ସମ୍ପୃକ୍ତ ମତ୍ସ୍ୟଜୀବୀ ଏହାକୁ ବେଳାଭୂମି ବାଲିରେ ଆଣି ପକାଇଥିଲେ। ପାଖାପାଖି ୧୦ କିଲୋ ଓଜନ ବିଶିଷ୍ଟ ଏହି ମାଛକୁ ଜଣେ ମତ୍ସ୍ୟଜୀବୀ ଅନ୍ୟ ମାଛ ସହ ନିଲାମରେ କିଣି ନେଇଥିଲେ। ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ପଚାରିବାରୁ ପ୍ରାୟ ପ୍ରତ୍ୟହ ଅଧିକାଂଶଙ୍କ ଜାଲରେ ଏହିଭଳି ମାଛ ପଡୁଛି। ସାର୍କ ଫାର୍କ କ’ଣ ଆମେ ଜାଣିନୁ। ଏହାକୁ ମଗର ମାଛ କହି ଆମେ ବିକ୍ରି କରୁଛୁ ।