ପୁରୀ : ପୁରୀ-କୋଣାର୍କ ବେଳାମାର୍ଗରେ ଗୁଳିକାଣ୍ଡ । ପୂର୍ବ ବିବାଦକୁ କେନ୍ଦ୍ର କରି ତୋଷାଳୀ ସ୍ୟାଣ୍ଡ ସମ୍ମୁଖରେ ୨ ରାଉଣ୍ଡ ଗୁଳି ଫୁଟାଇଲା ଦୁର୍ବୃତ୍ତ । ୨ଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି ପୁଲିସ । ଏନେଇ ପେଣ୍ଠକଟା ମେରାଇନ୍ ଥାନାରେ ଏକ ମାମଲା ରଜୁ ହୋଇଥିବା ବେଳେ ପୁଲିସ ଏହାର ଛାନ୍ଭିନ୍ କରୁଛି । ଏହି ଥାନା ଅଧୀନ ମୋହିନୀପୁର ଗ୍ରାମର ରବୀନ୍ଦ୍ର ନାୟକଙ୍କ ଉପରକୁ ଏହି ଗୁଳିମାଡ଼ ହୋଇଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇ ଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବିକ ତୋଷାଳୀ ସ୍ୟାଣ୍ଡ ସମ୍ମୁଖରେ ରବୀନ୍ଦ୍ରଙ୍କ ଏକ ପାନ ଦୋକାନ ରହିଛି । ଏହି ପାନ ଦୋକାନକୁ ଆସି ମୋହିନୀପୁରର ବାପିନା ପ୍ରଧାନ ନାମକ ଜଣେ ଯୁବକ ପ୍ରତିଦିନ ଆତଙ୍କ ଖେଳାଉଥିଲା । ଏହାକୁ ରବୀନ୍ଦ୍ର ପ୍ରତିରୋଧ କରୁନଥିଲେ । ହେଲେ ମଙ୍ଗଳବାର ରାତି ସାଢ଼େ ୯ଟାରେ ବାପିନା ଏକ ବନ୍ଧୁକ ଧରି ତାଙ୍କ ଦୋକାନ ସମ୍ମୁଖରେ ପହଞ୍ଚିଥିଲା । ୧୦ ହଜାର ଟଙ୍କା ଦାଦାବଟି ମାଗିଥିଲା । ରବୀନ୍ଦ୍ର ମନା କରିବାରୁ ସେ ଅଣ୍ଟାରୁ ବନ୍ଧୁକ ବାହାର କରି ୨ ରାଉଣ୍ଡ ଗୁଳି ଫୁଟାଇଥିବା ଅଭିଯୋଗ ହୋଇଛି । ଏପରିକି ଦୋକାନ ସମ୍ମୁଖରେ ୨ଟି ଖୋକା ପଡ଼ିଥିବା ବେଳେ ତା ପକେଟରେ ଥିବା ଏକ ଜୀବନ୍ତ ଗୁଳି ମଧ୍ୟ ଖସି ପଡ଼ିଛି । ଏହି ଗୁଳିମାଡ଼ ବେଳେ ସେ ଅଳ୍ପକେ ରକ୍ଷା ପାଇଥିବା କହିଛନ୍ତି । ପରେ ବାପିନା ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ବୁଧବାର ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ସବୁ କାଣ୍ଡର ପ୍ରମାଣ ତୋଷାଳୀ ସମ୍ମୁଖରେ ଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି ।