ପୁରୀ : ରଥ ନିର୍ମାଣ ମଙ୍ଗଳବାର ହେଉଛି ପଞ୍ଚମ ଦିନ। ମଙ୍ଗଳବାରଠୁ ଆରମ୍ଭ ହେଲା ତୁମ୍ଭରେ ଅର ସଂଯୋଗ କାର୍ଯ୍ୟ। ଭୋଇ ସେବକ ମାନେ ଶୁଭ ଅନୁକୂଳ କରି ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡେଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତୁମ୍ଭରେ ବିନ୍ଧ ହୋଇଥିବା ବେଳେ ପ୍ରତି ଚକରେ ମହାରଣା ସେବକ ମାନେ ସାଇଜ କରି ଦେଇଥିବା ଅରକୁ ଅର କଣ୍ଟା ବାଡେଇ ସିଙ୍ଗଡ଼ା ବାଡେଛନ୍ତି ଭୋଇ ସେବକ। ସେହିପରି ଆସନ୍ତା ୧୫ ତାରିଖ ଦିନ ଭଉଁରୀ ତିଥିରେ ପ୍ରତି ରଥର ଦୁଇ ଦୁଇଟି ଚକକୁ ଗୋଟିଏ ଗୋଟିଏ ଅଖରେ ସଂଯୋଗ ପାଇଁ ଵିଧି ଥିବା ବେଳେ ଏହାକୁ ପାଳନ କରିବା ପାଇଁ ମହାରଣା ସେବକ ମାନେ ଜୋର ସୋରରେ ଲାଗି ପଡ଼ିଥିବା ମତ ଦେଇଛନ୍ତି।
ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରସର ହେଉଛି। ସମୁଦାୟ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ କାର୍ଯ୍ୟ ଓ ସୁତା ବାଡ଼ିଆ କାର୍ଯ୍ୟ ସରିଛି। ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଗତକାଲି ୩ରଥର ୩ଗୋଟି ଅଖ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପ୍ରତି ରଥର ୨ଟି ଲେଖାଏଁ ମୋଟ ୬ଟି ଯନ୍ତାପଟା ବିନ୍ଧ କରାଯାଉଛି। ୬ଟି କୋରାମୁଣ୍ଡା ତିଆରି ଚାଲିଛି ।
ମଙ୍ଗଳବାର ରଥ ଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ୧୪୩ଜଣ ସେବକଙ୍କର ନିୟମିତ ପ୍ରକ୍ରିୟାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ସମସ୍ତ ସେବକ ସୁସ୍ଥ ଅଛନ୍ତି। ଏହି ସେବକମାନେ ନିଜ ନିଜ ଘରକୁ ନଯାଇ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତନିବାସ ଓ ନୀଳାଦ୍ରି ଭକ୍ତନିବାସରେ ରହୁଛନ୍ତି। ସମସ୍ତ ସେବକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଘର ଠାରୁ ଦୂରେଇ ରହି ମଧ୍ୟ ସେବକମାନେ ଅତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ସହ କାର୍ଯ୍ୟ କରୁଛନ୍ତି। ଶ୍ରୀମହାପ୍ରଭୁଙ୍କ କାର୍ଯ୍ୟକୁ ଅତି ଭକ୍ତିର ସହ ସେମାନେ ଗ୍ରହଣ କରିଛନ୍ତି ।