ଭୁବନେଶ୍ୱର : ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ରାଜ୍ୟ ସରକାର ଆଗକୁ ବଢୁଥିବାବେଳେ ଏବେ କିଛି ରାଜନୈତିକ ବ୍ୟକ୍ତି ଏହାକୁ ନେଇ ବାକ୍ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ଅଦାଲତଙ୍କ ନିଷ୍ପତ୍ତିଙ୍କୁ ରାଜ୍ୟ ସରକାର ଅପେକ୍ଷା କରିଥିବାବେଳେ ସବୁକିଛି ଜଗନ୍ନାଥଙ୍କ ଇଚ୍ଛାରେ ହେବବୋଲି ଭକ୍ତମାନେ ମତ ଦେଉଛନ୍ତି । କରୋନା ମହାମାରୀର କଟକଣା ଭିତରେ ଘୋଷଯାତ୍ରା କିଭଳି ହେବ ସେଥିପାଇଁ ସରକାର ପ୍ରଥମରୁ ହିଁ ପଦକ୍ଷେପ ଗ୍ରହଣ କରି ଆଗକୁ ବଢୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ମାନି ଅକ୍ଷୟତୃତୀୟା ତିଥିରେ ଶ୍ରୀମନ୍ଦିର ବେଢାରେ ରଥ ଅନୁକୂଳ ହୋଇଥିବାବେଳେ ପରବର୍ତ୍ତୀ ଅବସ୍ଥାରେ ରଥଖଳାରେ ତାହା ନିର୍ମାଣ ଚାଲିଛି । ମହାରଣା, ଭୋଇ ସେବକ, ରୂପକାରଙ୍କ ଠାରୁ ଆରମ୍ଭକରି ରଥ ନିର୍ମାଣରେ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ପ୍ରତିଦିନ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ହେଉଥିବାବେଳେ ପ୍ରତ୍ୟେକଙ୍କର କୋଭିଡ ପରୀକ୍ଷା ହୋଇଛି । ଦଶ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ମହାରଣାମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଭଉଁରୀରେ ଚକାଡେରା ନୀତି ହୋଇପାରିଥିଲା । ଏହା ପରଠାରୁ ସବୁକିଛି ତିଥି ଅନୁଯାୟୀ ଚାଲିଛି ।
ମହାପ୍ରଭୁମାନଙ୍କର ସ୍ନାନଯାତ୍ରାକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସୁରୁଖୁରେ ସମ୍ପନ୍ନ କରିଛି । ଯେତେ ସମ୍ଭବ କମ୍ ସଂଖ୍ୟକ ସେବକଙ୍କୁ ନେଇ ଏହି ନୀତି ସମ୍ପନ୍ନ ହୋଇଥିବାବେଳେ ସବୁ ମହଲରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଉଛି । ସ୍ନାନପୂର୍ଣ୍ଣିମା ନୀତି ସୁରୁଖୁରୁରେ ସରିଥିବାରୁ ରଥଯାତ୍ରା ନିଶ୍ଚିତହେବବୋଲି ଅଗଣିତ ଭକ୍ତ ବିଶ୍ୱାସ କରି ଅପେକ୍ଷାରେ ଅଛନ୍ତି । ପୁରୀବାସୀ ବି ଏଥିରେ ଅକୁଣ୍ଠ ସମର୍ଥନ ଦେଉଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ନିବେଦନକୁ ଗ୍ରହଣକରି ପୁରୀବାସୀ ସ୍ନାନପୂର୍ଣ୍ଣିମାରେ ପୂର୍ଣ୍ଣ ସହଯୋଗ କରିଥିଲେ । କଟକଣା ମାନି ଭକ୍ତମାନେ ବଡଦାଣ୍ଡକୁ ନଆସି ନିଜ ନିଜ ଘରେ ଟଭି ପରଦାରେ ସ୍ନାନପୂର୍ଣିମା ଦେଖିଥିଲେ । ଇତି ମଧ୍ୟରେ ରଥନିର୍ମାଣ କାର୍ଯ୍ୟ ସରିଥିବାବେଳେ ଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବକଙ୍କୁ ସରକାରଙ୍କ ପକ୍ଷରୁ କରୋନା ପ୍ରତିରୋଧ ଔଷଧ ପ୍ରଦାନ କରାଯାଇଛି । ପ୍ରତ୍ୟେକ ସେବଙ୍କ ପାଇଁ ସ୍ୱତବ ଧରଣର ମାସ୍କ ପ୍ରସ୍ତୁତ ହୋଇଛି । ପ୍ରଶାସନ ପ୍ରସ୍ତୁତ ଥିବାବେଳେ ଲୋକେ ବି ରଥଯାତ୍ରା ସପକ୍ଷରେ ଅଛନ୍ତି । ହଜାର ହଜାର ବର୍ଷର ପରମ୍ପରାରେ ପୂର୍ଣ୍ଣଛେଦ ପକାଇବାକୁ କେହି ଚାହୁଁ ନାହାନ୍ତି । ଭକ୍ତଙ୍କ ପାଇଁ ରଥଯାତ୍ରା ଯେତିକି ଗୁରୁତ୍ୱପୂର୍ଣ୍ଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବି ଲୋକଙ୍କ ଜୀବନ ସେତିକି ମୂଲ୍ୟବାନ । ତେଣୁ ସବୁ ସ୍ତରରେ କରୋନା କଟକଣା ପାଳନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ପୁରୀବାସୀ ବି ଚାହୁଁଛନ୍ତି ରଥଯାତ୍ରା ହେଉ । ରଥ ଯାତ୍ରା ପାଇଁ ପାଞ୍ଚ ଛଅ ହଜାର ଲୋକ ଆବଶ୍ୟକ ହେଉଥିବାବେଳେ ବଡଦାଣ୍ଡରେ ସବୁ ସମୟରେ ଏତିକି ଲୋକେ ଉପସ୍ଥିତ ରହୁଛନ୍ତି । ତେଣୁ ସର୍ତକତାର ସହ ରଥ ହେଲେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଉଛି । ଏଣେ ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟ ତାଙ୍କର ମତ ସ୍ପଷ୍ଟ କରିବା ସହିତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିବାବେଳେ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମ୍କୋର୍ଟରେ ମାମଲା ରୁଜୁ ହୋଇଛି ।
ରଥଯାତ୍ରା ସପକ୍ଷ ଓ ବିପକ୍ଷରେ ସୁପ୍ରିମ୍କୋର୍ଟରେ ମାମଲା ଥିବାବେଳେ ଏହା ଭିତରକୁ ଏବେ ରାଜନୀତି ପଶି ଆସିଛି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରଥଯାତ୍ରାକୁ ନେଇ ସନ୍ଦେହ ପ୍ରକଟ କରିବା ସହିତ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନଥିବାବେଳେ ସରକାର ଭାବି ଚିନ୍ତି ଆଗକୁ ବଢୁଛନ୍ତି ବୋଲି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି । ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଅନେକ ପ୍ରତିକୂଳ ସ୍ଥିତି ସତ୍ୱେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ତିନିରଥ ଗଡିବାର ଉଜ୍ୱଳ ସମ୍ଭାବନା ଥିବାବେଳେ ସବୁକିଛି ମହାପ୍ରଭୁଙ୍କ ଇଚ୍ଛା ଉପରେ ନିର୍ଭର କରେ । ସ୍ନାନଯାତ୍ରା ଭଳି ରଥଯାତ୍ରା ଯଦି ସୁରୁଖୁରୁରେ ସମ୍ପନ୍ନ ହୁଏ ତେବେ କରୋନା ଭଳି ବିଶ୍ୱ ମହାମାରୀ ସମୟରେ ଏହା କେବଳ ଇତିହାସ ରଚିବନାହିଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ତାଙ୍କ ଟିମ୍କୁ ମଧ୍ୟ ହୀରୋ କରିଦେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଥିବାବେଳେ କାଳିଆ ଠାକୁରଙ୍କ ଇଚ୍ଛାନୁସାରେ ସବୁକିଛି ଠିକ୍ଠାକ୍ ହେବ ଏବଂ ଏଭଳି ରାଜନୈତିକ କାଦୁଅଫିଙ୍ଗାର କିଛି ମାନେ ନାହିଁ ବୋଲି ଭକ୍ତମାନେ ସମସ୍ୱରରେ କହୁଛନ୍ତି ।