ପୁରୀ: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଶ୍ରୀମନ୍ଦିର ନୀତି ସୁରୁଖୁରୁରେ ସଂପନ୍ନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିନିଥର ନୀତି ବିଶ୍ୃଙ୍ଖଳା ଓ ଇଚ୍ଛାକୃତ ଭାବେ ଥରେ ବିଭ୍ରାଟ କଲେ ସଂପୃକ୍ତ ସେବାୟତଙ୍କୁ ସେବାରୁ ଅବ୍ୟାହତି ବା ବହିଷ୍କାର କରାଯିବ । ନୀତିରେ ୧୫ ମିନିଟ ବିଳମ୍ବ ପାଇଁ ୧୫ ପ୍ରତିଶତ, ଅଧଘଣ୍ଟା ବିଳମ୍ବ ପାଇଁ ୫୦ ପ୍ରତିଶତ ଓ ଏକଘଣ୍ଟା ବିଳମ୍ବ ହେଲେ ଗୋଟିଏ ଦିନର ପାଳିଆ ପୁରସ୍କାର କଟାଯିବ । ସେହିପରି ଡିସେମ୍ବର ୨୮ ନୀତି ବିଭ୍ରାଟ ମାମଲାରେ ସିସିଟିଭି ଫୁଟେଜ ଆଧାରରେ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି।
ସେମାନଙ୍କ ମଧ୍ୟରୁ ୧୮ଜଣଙ୍କୁ କୈଫିୟତ ମଗାଯାଇଛି। ଅନ୍ୟ ୧୮ଜଣଙ୍କ ମତାମତ ନିଆଯାଇଛି । ଏହାସହ ନବକଳେବର ସ୍ମାରକୀ ମୁଦ୍ରାକୁ ନିୟମିତ କରି ଭକ୍ତଙ୍କ ଉଦ୍ଦେଶ୍ୟରେ ବିକ୍ରି ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ୟୁନିଫର୍ମ ନୀତିକୁ ତ୍ୱରାନ୍ଵିତ କରି ଜମିଜମା ବିକ୍ରୀକୁ କ୍ରିୟାଶୀଳ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ପାଇଁ ର୍ୟାମ୍ପ ପରିବର୍ତ୍ତେ ପୂର୍ବପରି ସ୍ଲୋପ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ମହାପ୍ରସାଦ ଦର ତାଲିକା ନେଇ ସୁଆର-ମହାସୁଆର ନିଯୋଗର ପ୍ରସ୍ତାବ ଓ ମତାମତ ପରେ ଆସନ୍ତା ପରିଚାଳନା କମିଟି ବୈଠକରେ ଏ ସଂପର୍କରେ ଆଲୋଚନା କରାଯିବ ।