ପୁରୀ : ସୋମବାର ଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଏଥିପାଇଁ ଶନିବାର ଠାରୁ ପୁରୀରେ ପହଞ୍ଚିଯାଇଛନ୍ତି କାର୍ତ୍ତିକ ବ୍ରତାଧାରୀ। ବିଶେଷ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ମହିଳାମାନେ ପହଞ୍ଚି ସାରିଛନ୍ତି। ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶିବିରର ଉଦଘାଟନ କରିବେ।
ବୟସ୍କ ଲୋକମାନେ ଏହି ହବିଷ୍ୟାଳି ଶିବିରରେ ରହିବାକୁ ଥିବାରୁ ଏଠାରେ ବିଶେଷ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଅଗ୍ନି ନିରାପତ୍ତା, ସ୍ବାସ୍ଥ୍ୟ, ସୂଚନା କେନ୍ଦ୍ର, ସ୍ନାନାଗାର, ଶୋଇବା ପାଇଁ ଗଦି ତକିଆ, ଫ୍ୟାନ ଆଦିର ବ୍ୟବସ୍ଥା ରହିଛି। ସେହିପରି ପ୍ରତିଦିନ ମହାପ୍ରସାଦ ସେବନ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ନେଇ ବସର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଚଳିତ ବର୍ଷ ୩ଟି ସ୍ଥାନ ରେଲୱେ ଯାତ୍ରୀ ନିବାସ, ନରେନ୍ଦ୍ର କୋଣ ହବିଷ୍ୟଲି ଗୃହ, ମୋଚି ସାହି କଲ୍ୟାଣ ମଣ୍ଡପରେ ଆଵଶ୍ୟକ ବ୍ୟବସ୍ଥା ହୋଇଛି।
