ପୁରୀ : ଭାରତର ୪ଟି ଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ଧାମ ସ୍ବତନ୍ତ୍ର। ମହାପ୍ରଭୁଙ୍କ ସେବା, ପୂଜା, ଯାନୀଯାତ୍ରା ଓ ପର୍ବ ପର୍ବାଣୀରେ ରହିଛି ଅନନ୍ୟ ଆକର୍ଷଣ। ଏଥିପାଇଁ ସାରା ବିଶ୍ବରୁ ଶ୍ରଦ୍ଧାଳୁଙ୍କ ଆଗମନ ବର୍ଷ ସାରା ଶ୍ରୀମନ୍ଦିରକୁ ଲାଗି ରହିଥାଏ। ତେବେ ଏହି ଆଧ୍ୟାତ୍ମିକ ପରିବେଶକୁ ପରିପୃଷ୍ଟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀ ପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ ।
ସକାଳ ୬ଟା ୩୦ ରୁ ୮ଟା ଯାଏଁ ଏହି କାର୍ଯ୍ୟକ୍ରମ ସିଂହଦ୍ବାର ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ସକାଳେ ଶଙ୍ଖ ଧ୍ଵନି, ବେଦ ଧ୍ଵନି ମଧ୍ୟରେ ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଶ୍ରୀଜଗନ୍ନାଥଷ୍ଟକମ ଆବୃତି କରାଯାଇଥିଲା। ପରେ ଶ୍ରୀଗୀତଗୋବିନ୍ଦମ ଲଳିତ କାନ୍ତ ପଦାବଳୀ ଅନୁସରଣରେ ଓଡିଶୀ ନୃତ୍ୟ, ଶ୍ରୀମଦ ଭାଗବତ ଗୀତାର ୨ଟି ଶ୍ଳୋକ ଓ ଏହାର ବ୍ୟାଖ୍ୟା, ସାମୂହିକ ଭଜନ ଏବଂ ଶେଷରେ ନାମ ସଂକୀର୍ତ୍ତନ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ତେବେ ପ୍ରତି ରବିବାର ଏହି କାର୍ଯ୍ୟକ୍ରମ ଅୟୋଜନ ହେବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏହା ସହ ପ୍ରତିମାସ ସଂକ୍ରାନ୍ତି ଦିନ ସନ୍ଧ୍ୟା ୭ରୁ ରାତି ୯ଟା ଯାଏଁ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନ୍ୟପଟେ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଏବଂ ଶ୍ରଦ୍ଧାଳୁ ବେଶ ପ୍ରଶଂସା କରିଛନ୍ତି।
