ପୁରୀ : ଫନି ପରେ ପୁରୀ ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ସବୁକ୍ଷେତ୍ରରେ ସମର୍ଥ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରଫୁଲ ଯୋଜନା। ସତ୍ୟବାଦୀ ବ୍ଳକର ବୀରଗୋବିନ୍ଦପୁର ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମଣ୍ଡଳ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଜିଲ୍ଲା ପ୍ରଶାସନ, ପୁରୀଙ୍କ ମିଳିତ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ କରାଯାଇଛି। ଉକ୍ତ ଶିବିରରେ ମାନସିକ ଅନଗ୍ରସର ୧୦୨, ଦୃଷ୍ଟିବlଧିତ ୭୩, ଶ୍ରବଣ ବାଧିତ ୮୧, ଚଳନ ବାଧିତ ୫୧୦, ଜଣ ଦିବ୍ୟଙ୍ଗ ମାନଙ୍କୁ ଚିହ୍ନଟ କରାଯାଇଛି। ଏହି ଶିବିରରେ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୮ଜଣ ଡ଼ାକ୍ତର ଦଳ ସ୍ଵତନ୍ତ୍ର ଭାବରେ ନିୟୋଜିତ ହୋଇଥିଲେ।
ସେହିପରି ଶିକ୍ଷିତ ଦିବ୍ୟାଙ୍ଗ ମାନଙ୍କୁ ମିଳୁଥିବା ବିଭିନ୍ନ ଶିକ୍ଷାଗତ ଏବଂ ବୈଷୟିକ ତାଲିମ ବ୍ୟବସ୍ଥାରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ୩ଟି ତାଲିମ ପ୍ରଦାନକାରୀ ଅନୁଷ୍ଠାନ ଯୋଗ ଦେଇ ୧୦୪ ଜଣ ଶିକ୍ଷିତ ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ତଥା ତାଲିମ ପ୍ରଦାନ ପାଇଁ ଚୟନ କରିଥିଲେ।
ଉକ୍ତ ଶିବିରକୁ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ ପାତ୍ର, ପ୍ରଫୁଲ୍ଲ ଯୋଜନାର ଜିଲ୍ଲା ପରାମର୍ଶଦାତା ସନ୍ତୋଷ କୁମାର, ଜ୍ୟୋତି ପ୍ରସନ୍ନ ପଟ୍ଟନାୟକ ଓ ଯଶଶ୍ଵିନି ଦାସ, ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟ ପ୍ରସାଦ ପାତ୍ର ଓ ମଣ୍ଡଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳିତ କରିଥିଲେ।
