ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏଥର ସବୁଦିନ ବେଡ୍ସିଟ୍ ବଦଳ ହେଉନଥିଲେ ଧରାପଡିଯିବ । କାରଣ ଆଜିଠୁ ସବୁ ରୋଗୀଙ୍କ ପାଇଁ ସମାନ ରଙ୍ଗର ବେଡ୍ସିଟ୍ ପଡ଼ିଛି । ଆଜି ପିଙ୍କ୍ ରଙ୍ଗ କୋଟେଡ୍ ଥିବା ବେଡ୍ସିଟ୍ ପଡିଥିବା ବେଳେ ସବୁଦିନ ଏ ରଙ୍ଗ ବଦଳିବ । ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଅଶୋକ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ଆଜି ନିର୍ଦ୍ଦେଶକ କୋଟେଡ୍ ବେଡ୍ସିଟ୍ ପକାଇ ଏହାର ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସବୁ ବିଭାଗକୁ ମଧ୍ୟ ସମାନ ରଙ୍ଗର ବେଡ୍ସିଟ୍ ଦିଆଯାଇଛି ।
ସପ୍ତାହର ୭ ଦିନ ଏହା ସାତ ପ୍ରକାରର ହେବ । କେଉଁଦିନ କେଉଁ ପ୍ରକାରର ବେଡ୍ସିଟ୍ ପଡ଼ିବ, ସେ ସମ୍ପର୍କରେ ୱାର୍ଡ ବାହାରେ ସୂଚନା ମଧ୍ୟ ରହିବ । ଏହା ହେଲେ ଯଦି କୌଣସି ରୋଗୀଙ୍କ ବେଡ୍ରେ ଅଲଗା ରଙ୍ଗର ବେଡ୍ସିଟ୍ ଥିବ, ତେବେ ସେ ଜାଣି ପାରିବେ ଯେ ତାଙ୍କର ବେଡସିଟ୍ ବଦଳ ହୋଇନି ବୋଲି । ସ୍ୱଚ୍ଛତା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ହସ୍ପିଟାଲ ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି ।