Odia News Portal

ଛତିଶଗଡ ଫେରାନ୍ତଙ୍କ ପାଇଁ କଟକଣା ଜାରି

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କୋଭିଡ୍‌ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

କଳାହାଣ୍ଡି: ୭ ଦିନ ଆଇସୋଲେସନରେ ରହିବେ ଛତିଶଗଡ ଫେରନ୍ତା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କୋଭିଡ୍‌ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମୀକ୍ଷା ପରେ ଛତିଶଗଡ ଫେରନ୍ତା ପଜିଟିଭ୍‌ ଥିଲେ ୧ସପ୍ତାହ ଆଇସୋଲେସନରେ ରହିବେ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବାହାରୁ ଆସୁଥିବା ପ୍ରବାସୀ ଓଡିଆମାନେ ଆରଟିପିସିଆର ଟେଷ୍ଟ କରାଇ ଆସିବେ । ଯାହାର ନଥିବ ତାଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯାଉଛି । ଆନ୍ତଃ ରାଜ୍ୟ ଟ୍ରେନ୍‌ଗୁଡିକ ବନ୍ଦ କରିବା ନିୟମ ରହି ନଥିବା ବେଳେ ପରୀକ୍ଷା ପରିମାଣକୁ ବଢାଇ ଦିଆଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।ଏହାବ୍ୟତିତ ବର୍ଡର ଚେକ୍ ପୋଷ୍ଟରେ ବ୍ୟାପକ ଚେକିଂ ଉପରେ ଗୁରୁତ୍ବ ଦିଆଯିବ । ଲୋକଙ୍କ ଅଯଥା ଯାତାୟତ କମାଇବା ଉପରେ ଗୁରୁତ୍ବ ଦିଆଯିବ।ସେହିଭଳି ପଜିଟିଭ୍‌ ଥିବା ଫେରନ୍ତାଙ୍କୁ ଗାଁ ଭିତରକୁ ପୂରାଇ ଦିଆଯିବନି । ବାହାରେ ସପ୍ତାହେ ରହିବା ପରେ ଘରକୁ ଯିବାକୁ ଅନୁମତି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।ପ୍ରଥମେ ନୂଆପଡା ଗୋତମା ସ୍ଥିତ ଏୟାରଫିଲ୍ଡରେ ପହଞ୍ଚି ସେଠାରୁ ସିଲଦା ସ୍ଥିତ କୋଭିଡ୍ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ ।

ପରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଟିକା ଉପରେ ଅନୁଧ୍ୟାନ କରିବା ସହ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ କିଭଳି ସଫଳତାର ସହ ମହାମାରୀକୁ ଦୂରେଇ ଦିଆଯାଇପାରିବ ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ ଡିଏମଇଟି ଡଃ ସି.ବି.କେ. ମହାନ୍ତି ଓ ସ୍ବାସ୍ଥ୍ୟ ସଚିବ ବିଜୟ ମହାପାତ୍ର ଆସିଥିବା ବେଳେ ନୂଆପଡା ଜିଲ୍ଲାପାଳ ସ୍ବାଧାଦେବ ସିଂ ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପରିଚାଳନାକୁ ନେଇ ଭବାନୀପାଟଣା କାମଠଣା ସ୍ଥିତ ଜିଏନଏମ ସେଣ୍ଟରଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ଡଃ ସି.ବି.କେ. ମହାନ୍ତି, ଡିଏଚଏସ ଡଃ ବିଜୟ ମହାପାତ୍ର ପ୍ରମୁଖ କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦଙ୍କ ସହ ବରିଷ୍ଠ ଅଧିକାରୀ ସମୀକ୍ଷା ବୈଠକ ଉପସ୍ଥିତ ରହିଥିଲେ।