Odia News Portal

ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ପରଲୋକ

ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।  ଘଟିଛି । ମୃତ୍ୟୁ ବେଳକୁ ପୂର୍ବତନ ସାଂସଦ କୁଜୁରଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ୧୯୮୪ ମସିହାରୁ ୧୯୮୯ ପର୍ଯ୍ୟନ୍ତ ମୋରିସ୍ କୁଜୁର ସୁନ୍ଦରଗଡ଼ରୁ ପ୍ରତିନିଧିତ୍ୱ କରିଥିଲେ । ମୋରିସ କୁଜୁରଙ୍କ ବିୟୋଗ ନେଇ ତାଙ୍କ ସାନପୁଅ ପ୍ରଭାତ କୁଜୁର ସୂଚନା ଦେଇଛନ୍ତି ।

୧୯୩୫ ମସିହା ନଭେମ୍ବର ୨ ତାରିଖରେ ମୋରିସ୍ କୁଜୁର୍ ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରିକେଲା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ କୋଲକାତାରେ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଲକ୍ ଅନ୍ତର୍ଗତ ଗାଇବିରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବେ କାର‌୍ୟ୍ୟ କରିଥିଲେ।

ମୋରିସ୍ କୁଜୁର୍ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ କଂଗ୍ରେସରେ ଯୋଗ ଦେଇ ସେ ୧୯୮୪ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୬ ମସିହାରୁ ୨୦୦୨ ଯାଏଁ ରାଜ୍ୟସଭା ସଦସ୍ୟ ମଧ୍ୟ ଥିଲେ। ୨୦୦୮ରୁ ୨୦୧୧ ମସିହା ଯାଏଁ ମୋରିସ୍ କୁଜୁର୍ କେନ୍ଦ୍ର ସରକାରଙ୍କ ଏସ୍ ଟି କମିସନର ଅଧ୍ୟକ୍ଷ ଥିଲେ। ତାଙ୍କ ବିୟୋଗରେ ସୁନ୍ଦରଗଡ଼ ସମେତ ରାଜନୈତିକ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।